ଯଦି ଗୋଟିଏ ବ୍ୟାଙ୍କରେ ଅଛି ଏକାଧିକ ଆକାଉଣ୍ଟ ତେବେ ଖବର ଆପଣଙ୍କ ଲାଗି ଜରୁରି
1/03/2020 at 3:46 PM

ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୁଏ ତେବେ ପ୍ରତି ଆକାଉଣ୍ଟ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଲାଗି କେନ୍ଦ୍ର ସରକାର ଚଳିତ ବଜେଟରେ ପ୍ରାବଧାନ କରିଛନ୍ତି। ଏଣୁ ବ୍ୟାଙ୍କ ବୁଡିଯିବା ସ୍ଥଳେ ଖାତାଧାରୀଙ୍କୁ ୫ଲକ୍ଷ ଟଙ୍କା ମିଳିବା ନିଶ୍ଚିତ ହୋଇଯାଇଛି। ତେବେ ପୂର୍ବରୁ ଏହି ରାଶି ୧ ଲକ୍ଷ ଟଙ୍କା ଥିଲା। ଏଣୁ କୌଣସି ବ୍ୟାଙ୍କର ବିଭିନ୍ନ ଶାଖାରେ ଯଦି କୌଣସି ଗ୍ରାହକଙ୍କ ଏକାଧିକ ଖାତା ଥାଏ ତେବେ ଏ କ୍ଷେତ୍ରରେ କ’ଣ ହେବ ଆସନ୍ତୁ ଜାଣିବା।

ବ୍ୟାଙ୍କମାନଙ୍କର ବ୍ୟବସାୟିକ କ୍ଷତି ବର୍ତ୍ତମାନ ସମୟର ସବୁଠାରୁ ବଡ ସମସ୍ୟା। ଏଭଳି ପରିସ୍ଥିତିର ମୁକାବିଲା ଲାଗି ସରକାର ଏବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ବ୍ୟାଙ୍କମାନଙ୍କର ଜମା ଖାତା ବୀମା ମଧ୍ୟ ଏକ କାର୍ଯ୍ୟକ୍ରମ। ପୂର୍ବରୁ ମଧ୍ୟ ଏହି ବ୍ୟବସ୍ଥା ଥିଲା। ତେବେ ସେତେବେଳର ଟଙ୍କା ନେଣଦେଣକୁ ନେଇ ଏହି ବୀମାର ପରିମାଣ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୀମିତ ଥିଲା। ଏଭଳି କ୍ଷେତ୍ରରେ ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୋଇ ବୁଡି ଯାଏ ତେବେ ଜମାକାରୀଙ୍କୁ ସେମାନଙ୍କର ଆକାଉଣ୍ଟ ବୀମା ବାବଦ ୧ ଲକ୍ଷ ଟଙ୍କା ମିଳିବାର ବ୍ୟବସ୍ଥା ଥିଲା।

ତେବେ ସମୟ ବଦଳିବା ସହ ବ୍ୟାଙ୍କ ନେଣଦେଣରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି। ଏବେ ଗ୍ରାହକଙ୍କ ସମସ୍ତ ନେଣଦେଣର ମଧ୍ୟସ୍ଥ ପାଲଟିଯାଇଛନ୍ତି ବ୍ୟାଙ୍କ । ଗୋଟିଏ ଗୋଟିଏ ଦିନରେ ଗୋଟିଏ ଗୋଟିଏ ଶାଖା କୋଟି କୋଟି ଟଙ୍କା କାରବାର କରୁଛନ୍ତି। ଏଥିରେ ସରକାର ଆକାଉଣ୍ଟ ବୀମା ବାବଦ ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସରକାରଙ୍କର ନୂଆ ପଦକ୍ଷେପ ଅନୁସାରେ କୌଣସି ବ୍ୟାଙ୍କ ଯଦି ଦେବାଳିବା ପରିସ୍ଥିତିର ସମ୍ମୁଖୀନ ହୋଇ ବୁଡି ଯାଏ ଜମାକାରୀ ତାଙ୍କ ଜମା ହରାଇବା ନିଶ୍ଚିତ ଥିଲେ ବି ଆକାଉଣ୍ଟ ବାବଦ ବୀମା ରାଶି ୫ ଲକ୍ଷ ଟଙ୍କା କିନ୍ତୁ ନିଶ୍ଚିତ ପାଇବେ।

ଏଥିରେ ଯଦି କୌଣସି ଗ୍ରାହକଙ୍କର ବ୍ୟାଙ୍କର ଭିନ୍ନ ଭିନ୍ନ ଶାଖାରେ ଅଲଗା ଅଲଗା ଆକାଉଣ୍ଟ ଥାଏ ତେବେ ତାଙ୍କୁ ଗୋଟିଏ ଆକାଉଣ୍ଟ ବାବଦକୁ ୫ଲକ୍ଷ ଟଙ୍କା ଓ ତାର ସୁଧ ହିଁ ମିଳିପାରିବ। ବ୍ୟାଙ୍କର ବିଭିନ୍ନ ଶଖାର ଭିନ୍ନ ଭିନ୍ନ ଆକାଉଣ୍ଟରେ ଯେତେ ଟଙ୍କା ଜମା ଥିଲେ ବି ତାଙ୍କର କେବଳ ୫ ଲକ୍ଷ ଟଙ୍କା ହିଁ ସୁରକ୍ଷିତ ବୁଝାଯିବ।