ସେପ୍ଟେମ୍ବର ୩୦ ପରେ କାହା ପାଖରୁ ୨ହଜାର ଟଙ୍କା ନୋଟ ମିଳିଲେ ହେବ କି କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ କ’ଣ କହୁଛି ଆଇନ?
27/09/2023 at 7:37 PM

ନୂଆଦିଲ୍ଲୀ ୨୭।୯: ପାଖେଇ ଆସୁଛି ସେପ୍ଟେମ୍ବର ୩୦ ତାରିଖ, ୨ହଜାର ଟଙ୍କା ନୋଟ ବଦଳାଇବାର ଶେଷ ତାରିଖ। ଏହା ପରେ ବି ଯଦି କାହା ପାଖରେ ଏହି ବ୍ୟାଙ୍କ ନୋଟ୍ ମିଳିଲା କ’ଣ କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ୨ହଜାର ଟଙ୍କା ନୋଟ୍କୁ ନେଇ ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଥାଏ ତେବେ ଏହି ଖବର ଆପଣଙ୍କ ଲାଗି ଜରୁରି। ୨ ହଜାର ଟଙ୍କା ନୋଟା ପ୍ରଚଳନରୁ ବାହାର ହେବା ପୂର୍ବରୁ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ୨୦୧୬ ନୋଟ୍ ବନ୍ଦୀ ନିଷ୍ପତ୍ତି ପରେ ୫୦୦ ଓ ୧୦୦୦ ଟଙ୍କା ନୋଟ୍କୁ ନେଇ କ’ଣ ନିୟମ ହୋଇଥିଲା ଓ ପୁରୁଣା ନୋଟ୍କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଙ୍କ ନୀତି କ’ଣ?
କେନ୍ଦ୍ର ସରକାର ୮ ନଭେମ୍ବର ୨୦୧୬ରେ ନୋଟ୍ ବନ୍ଦୀ ନିଷ୍ପତ୍ତି ନେଇଥିଲେ। ଏହା ପରେ ଦେଶରେ ୫୦୦ ଓ ୧୦୦୦ ଟଙ୍କା ନୋଟ୍ ଦେଶରେ ନିଷିଦ୍ଧ ହୋଇଯାଇଥିଲା। ଏହା ପରେ ଆରବିଆଇ ୫୦୦ ଓ ୨୦୦୦ ଟଙ୍କା ମୂଲ୍ୟର ନୋଟ୍ ବଜାରରେ ଛାଡିଥିଲେ। ଏହି ନିଷ୍ପତ୍ତିର ୭ ବର୍ଷ ପରେ ପୁଣି ଥରେ ଆରବିଆଇ ୨୦୦୦ ଟଙ୍କା ନୋଟ୍କୁ ନିଷିଦ୍ଧ କରିଛନ୍ତି। ଏହି ନିଷ୍ପତ୍ତି ପରେ ସବୁ ବ୍ୟାଙ୍କଙ୍କୁ ଆରବିଆଇ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୨୦୦୦ ଟଙ୍କାର ପୁରୁଣା ନୋଟ୍ ଜମା କରିବାକୁ ଓ ବଦଳାଇବାର ସୁବିଧା ଦେବାକୁ ଘୋଷଣା କରିଥିଲେ।

ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୨୪ ହଜାର କୋଟି ଟଙ୍କାର ୨ ହଜାର ଟଙ୍କା ନୋଟ୍ ଏବେବି ବଜାରରୁ ବ୍ୟାଙ୍କକୁ ଫେରିନାହିଁ। ଏଥିରେ ୩୦ ସେପ୍ଟେମ୍ବର ୨୦୨୩ ପରେ ଏତେ ବିପୁଳ ପରିମାଣର ୨ ହଜାର ଟଙ୍କା ନୋଟର କ’ଣ ହେବ ସେ ନେଇ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ। ଏଥିରେ ଯଦି କୌଣସି ବ୍ୟକ୍ତି ତାଙ୍କ ପର୍ସ ବା ପକେଟ୍ରେ ୨ ହଜାର ଟଙ୍କା ନୋଟ୍ ନେଇ ବାହାରକୁ ବାହାରନ୍ତି ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ ନା ଆରବିଆଇ ଏହି ନୋଟ୍ ଜମା କରିବାର ତାରିଖ ସମ୍ପ୍ରସାରଣ କରିବେ ତା ଉପରେ ଏବେ ସମସ୍ତଙ୍କ ନଜର।
ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ୫ଶହ ଓ ୧ ହଜାର ଟଙ୍କା ନୋଟ୍ ପ୍ରଚଳନ ନିଷିଦ୍ଧ ହେବା ପରେ ଏପ୍ରକାର ନୋଟ୍କୁ ଘରେ ରଖିବା ବା ସାଙ୍ଗରେ ନେଇ ବୁଲାବୁଲି କରିବା ଦଣ୍ଡନିୟ ଅପରାଧ ଶ୍ରେଣୀକୁ ଆସିଥିଲା। ଏପରି ନୋଟ୍କୁ ତୁରନ୍ତ ବ୍ୟାଙ୍କରେ ବଦଳେଇ ନେବାକୁ ଆରବିଆଇ ବାରମ୍ବାର ନୋଟିଫିକେସନ ଜାରି କରୁଥିଲେ। ହେଲେ ବି ଏ ପର୍ଯ୍ୟନ୍ତ ସମସ୍ତ ନୋଟ୍ ବ୍ୟାଙ୍କକୁ ଫେରସ୍ତ ଯାଇପାରିନି। ଏଥିରେ ୨ ହଜାର ଟଙ୍କା ନୋଟ୍ ବଦଳାଇବା ବା ଜମା କରିବା ପାଇଁ ସମୟସୀମାକୁ ବଢାଇବାର ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ। କାରଣ ଏପର୍ଯ୍ୟନ୍ତ ପାଖାପାଖି ୨୪ ହଜାର କୋଟି ଟଙ୍କାର ୨ ହଜାର ଟଙ୍କା ନୋଟ୍ ବ୍ୟାଙ୍କକୁ ଫେରି ନାହିଁ।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ୨୦୧୬ ମସିହାରେ ୫୦୦ ଓ ୧ ହଜାର ଟଙ୍କା ନୋଟ ବନ୍ଦ କରିବା ବେଳେ କେନ୍ଦ୍ର ସରକାର ଏକ ଆଇନ ମଞ୍ଜୁର କରିଥିଲେ। ଏହି ଆଇନ ଅନୁସାରେ ୧୦ରୁ ଅଧିକ ୫୦୦ ବା ୧ ହଜାର ଟଙ୍କା ନୋଟ୍ ପାଖରେ ରଖିବା ଧର୍ତ୍ତବ୍ୟ ଅପରାଧ ଥିଲା। ଯଦି ନିଷିଦ୍ଧ ନୋଟ୍ କାହାପାଖରୁ ମିଳେ ସର୍ବନିମ୍ନ ୧୦ ହଜାର ଟଙ୍କା ଜରିମନା ଓ ଜେଲଦଣ୍ଡ ଉଭୟ ପ୍ରାବଧାନ କରାଯାଇଥିଲା। ଯାହାକୁ ୨୦୧୭ ମସିହାରେ ସରକାର ସଂସଦରେ ଗୃହୀତ କରି ଆଇନରେ ପରିଣତ କରିଥିଲେ। ୨୦୧୭ରେ ସଂସଦ ଦ୍ୱାରା ଗୃହୀତ ଅଧିନିୟମ ବିମୁଦ୍ରିକୃତ ମୁଦ୍ରା ଉପରେ ଆରବିଆଇ ଓ ଭାରତ ସରକାରଙ୍କ ଦେନଦାରୀକୁ ମଧ୍ୟ ସମାପ୍ତ କରୁଥିଲା।
ଏହି ଆଇନ ୩୧ ଡିସେମ୍ବର ୨୦୧୬ରୁ ପୁରୁଣା ନୋଟକୁ ରଖିବା, ସ୍ଥାନାନ୍ତରିତ କରିବା ଅଥବା ପ୍ରାପ୍ତ କରିବା ଉପରେ କଟକଣା ଜାରି କରୁଥିଲା ଓ ଏଥି ପାଇଁ ଜରିମନା ଦଣ୍ଡାଦେଶ କରିବା ନିମନ୍ତେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟକୁ କ୍ଷମତା ପ୍ରଦାନ କରୁଥିଲା। ଏଣୁ ମନେ କରାଯାଉଛି ୨ହଜାର ଟଙ୍କା ନୋଟ୍ ପ୍ରଚଳନରୁ ବାହାରିବା ପରେ ସଂସଦ ଏ ନେଇ କୌଣସି ଆଇନ ଗୃହୀତ କରିପାରେ ଅଥବା ୨୦୧୭ର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଧିକାର ଦେଇପାରେ।
ଦୁଇ ହଜାର ଟଙ୍କିଆ ନୋଟ୍ ଫେରସ୍ତ କରିବାକୁ ଆଉ ମାତ୍ର ୪ ଦିନ ବାକି,ଏବେ ବି ଫେରିନି ୨୪ ହଜାର କୋଟି