ଭୂସ୍ଖଳନରେ ଅନାଥ ଶିଶୁଙ୍କ ପାଇଁ ପାଲଟିଲେ ଜନ୍ମଦାତ୍ରୀ, ମା’ଙ୍କୁ ହରାଇଥିବା ପିଲାଙ୍କୁ କରାଉଛନ୍ତି ସନ୍ତ୍ୟପାନ

Published By : Prameya-News7 Bureau | August 05, 2024 IST

ଓ୍ୱାୟନାଡ ୦୫/୦୮:  ପ୍ରକୃତିର ତାଣ୍ଡବରେ ଛାରଖାର ଓ୍ୱାୟନାଡ । ପ୍ରଳୟଙ୍କରୀ ଭୂସ୍ଖଳନରେ ଲିଭିଯାଇଛି ୩୫୦ ଅଧିକ ଜୀବନ ଦୀପ । ସପ୍ତାହ ପରେ ବି ଚାଲିଛି ଜୀବନ ଖୋଜା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ । ଶହ ଶହ ପରିବାର ସର୍ବସ୍ୱାନ୍ତ । ବାପା ମାଆଙ୍କୁ ହରାଇ ଅନେକ ଶିଶୁ ଅନାଥ । ଏଭଳି ସ୍ଥିତିରେ ଅନାଥଙ୍କୁ ସାହା ହୋଇଛନ୍ତି ଜଣେ ଦମ୍ପତ୍ତି । ନିଜର କୁନି ପିଲାକୁ ପଛରେ ପକାଇ ଅସହାୟ ଶିଶୁଙ୍କ ପାଇଁ ସାଜିଛନ୍ତି ଭଗବାନ । ଆଉ ତାଙ୍କର ଏପରି କାମ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ । ସବୁରି ମୁହଁରେ ବାହାବା । ସମସ୍ତେ କହୁଛନ୍ତି ମାଆ ତୁଝେ ସଲାମ୍ । 

ଇଡୁକିର ଉପ୍ପୁଥରାର ଭାବନା ପାରକର । ଏବେ ସେ ନିଜର ଘର ଦ୍ୱାର ଛାଡି ୱାୟନାଡରେ । ସ୍ୱାମୀ ଦୁଇ କୁନି ପିଲାଙ୍କୁ ଧରି ଭୂସ୍ଖଳନ ସ୍ଥଳରେ । ଭାବନାଙ୍କ କହିବା କଥା ସେ ୨ଟି ସନ୍ତାନର ମା’ । ଭୂସ୍ଖଳନ ସଂପର୍କରେ ଜାଣିବା ପରେ କାନ୍ଦି ଉଠିଥିଲା ତାଙ୍କ ମାଆର ହୃଦୟ । ମନକୁ ଆସୁଥିଲା ସ୍ତନ୍ୟପାନ କରୁଥିବା ଶିଶୁମାନଙ୍କ ବିଷୟରେ । ବାରମ୍ୱାର ଭାବୁଥିଲେ ମା’ ନଥିବା ପିଲାର କଣ ହେଉଥିବା ଅବସ୍ଥା । ଦୀର୍ଘ ସମୟ ଚିନ୍ତା କରିବା ପରେ ଭାବିଥିଲେ ସହାୟତା କରିବାକୁ ହେବ । ଏ ବିଷୟରେ ସ୍ୱାମୀଙ୍କ ସହ ଆଲେଚନା ବି କଲେ । ଆଉ ସ୍ତ୍ରୀ କଥାକୁ ସହମତି ଜଣାଇଥିଲେ ସ୍ୱାମୀ । 


ଦୃଢ ନିଷ୍ପତ୍ତି ପରେ ସୋସିଆଲ ମିଡିଆରେ କରିଥିଲେ ପୋଷ୍ଚ । ପୋଷ୍ଟରେ ନମ୍ୱର ବି ଦେଲେ । ପୋଷ୍ଟ ଭାଇରାଲ୍‌ ହେବାର କିଛି ଘଣ୍ଟା ମଧ୍ୟରେ ମିଳିଥିଲା ରେସପଣ୍ଡ । ପାଖକୁ ଆସିଥିଲା ୨ଟି ଫୋନ୍‌ ମିଳିଲା । କଲ୍ରେ ଅନାଥ ପିଲାଙ୍କୁ ସ୍ତନ୍ୟପାନ କରାଇବାର ଜରୁରିକାଳୀନ ଆବଶ୍ୟକତା ଥିବା ଦର୍ଶାଇ ଲୋକେ ୱାୟନାଡର ବିଭିନ୍ନ ରିଲିଫ୍‌ କ୍ୟାମ୍ପକୁ ପହଞ୍ଚିବାକୁ ଅନୁରୋଧ କଲେ । ଶେଷରେ ନିଜର ଦୁଇ ପିଲାଙ୍କୁ ଧରି ପିକ୍‌ ଅପ୍‌ ଭ୍ୟାନ୍‌ରେ ୩୫୦ କିମି ଦୂର ପାର୍ କରି ପହଞ୍ଚିଥିଲେ ୱାୟନାଡରେ । ବର୍ତ୍ତମାନ ୱାୟନାଡର ମେପ୍ପାଡିରେ ଥିବା ଏକ ରିଲିଫ୍‌ କ୍ୟାମ୍ପରେ ରହୁଛନ୍ତି ଦମ୍ପତ୍ତି । ଆବଶ୍ୟକତା ଥିବା ଯାଏ ସେମାନେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । 

କୁହାଯାଏ ମାଆର ଅନେକ ରୂପ । ସେ ବିପଦରେ ହେଉ ବା ଲାଳନପାଲନ । ସବୁ କ୍ଷେତ୍ରରେ ଥାଏ ବଡ ଭୂମିକା । ବିପଦ ପଡିଲେ ଦୂର୍ଗାର ରୂପ ନିଏ ତ ଆଉ କେତେବେଳେ ଜୀବନ ଦେବାକୁ ବି ପଛଘୁଞ୍ଚା ଦିଏନି । ଆଉ ଏବେ କେରଳ ଓ୍ୱାୟନାଡର ଅନାଥଙ୍କ ପାଇଁ ସାଜିଛନ୍ତି ଜଗଦ୍ଧାତ୍ରୀ । ଏମିତି ମାଆଙ୍କୁ ହୃଦୟରୁ କୋଟି କୋଟି ନମନ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.