ଚେନ୍ନାଇ: ବର୍ଷ ବର୍ଷ ଧରି ବନ୍ଦ ରହିଥିବା ମନ୍ଦିରକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ମାଦ୍ରାସ ହାଇକୋର୍ଟ । ଦେଶରେ ଥିବା ମନ୍ଦିର ଆସ୍ଥାର ପ୍ରତୀକ । ଭଗବାନଙ୍କ ବିନା ଗଛରେ ପତ୍ର ହଲିବା ଅସମ୍ଭବ । ଆମେ ବିଶ୍ବାସ କରି ନେଇଛୁ ଯେ ମନ୍ଦିରରେ ରହିଥିବା ପ୍ରତିମୂର୍ତ୍ତିଙ୍କ ଠାରେ ଜୀବନ ରହିଛି । ତେଣୁ ପାରମ୍ପରିକ ପୂଜାର୍ଚ୍ଚନା ବିନା ମନ୍ଦିରକୁ ବନ୍ଦ ରଖିବା ଅର୍ଥ ଦେବଦେବୀଙ୍କୁ ବନ୍ଦ କୋଠରୀ ଭିତରେ ରଖିବା ସଦୃଶ । ଏପରି କି ଜେଲରେ କଏଦୀମାନଙ୍କୁ ମଧ୍ୟ ଠିକ୍ ଭାବେ ଖାଇବାକୁ ଦିଆଯାଉଛି । ସେମାନଙ୍କ ଆବଶ୍ୟକତାକୁ ବି ପୂରଣ କରାଯାଉଛି । ତେଣୁ ଦେବଦେବୀଙ୍କୁ ପାରମ୍ପରିକ ପୂଜାରୁ ବାରଣ ରଖିବା ଠିକ୍ ନୁହେଁ ବୋଲି ମାଦ୍ରାସ ହାଇକୋର୍ଟ କହିଛନ୍ତି ।
ମାଦ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ୍, ବନ୍ଦ ମନ୍ଦିରକୁ ଖୋଲିବା ଏବଂ ଉତ୍ସବ ମନାଇବା ନେଇ ଦାୟର ହୋଇଥିବା ଆବେଦନର ଶୁଣାଣି କରି ଏଭଳି ଟିପ୍ପଣୀ ଦେଇଛନ୍ତି । ମଦୁରାଇ ଜିଲ୍ଲାର ପେରିୟାର ତହସିଲ ଅନ୍ତର୍ଗତ ଉଥପୁରମ୍ ଗାଁରେ ଶ୍ରୀ ମୁଥୁଲାମନ ମନ୍ଦିର ଏବଂ ମାରିଆମାନ ମନ୍ଦିର ଗତ ୧୦ ବର୍ଷ ହେଲା ବନ୍ଦ ରହିଛି । ମନ୍ଦିରରେ ପ୍ରତିମୂର୍ତ୍ତି ରହିଥିଲେ ମଧ୍ୟରେ ସେଠାରେ ପାରମ୍ପରିକ ପୂଜାକୁ ବନ୍ଦ କରି ଦିଆଯାଇଛି । ତେବେ ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଜି.ଆର୍ ସ୍ବାମୀନାଥନଙ୍କ ଖଣ୍ଡପୀଠ ଦୁଇ ମନ୍ଦିର ଖୋଲିବା ସପକ୍ଷରେ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ଆମେ ବିଶ୍ବାସ କରୁ ଯେ ମନ୍ଦିରରେ ରହିଥିବା ପ୍ରତିମୂର୍ତ୍ତିଙ୍କ ଠାରେ ଜୀବନ ରହିଛି । ତେଣୁ ବର୍ଷ ବର୍ଷ ଧରି ପୂଜା ବନ୍ଦ କରିବା ଠିକ୍ ନୁହେଁ ।
ନ୍ୟାୟଧୀଶ ଜି.ଆର୍ ସ୍ବାମୀନାଥନ କହିଛନ୍ତି, ସମ୍ବିଧାନର ଅନୁଛେଦ-୨୫ ଏହି ଗ୍ୟାରେଣ୍ଟି ଦେଉଛି ଯେ, ସମସ୍ତଙ୍କୁ ପୂଜା କରିବାର, ନିଜ ଧର୍ମକୁ ସ୍ବତନ୍ତ୍ର ରୂପେ ମାନିବା ଏବଂ ପ୍ରଚାର କରିବାର ଅଧିକାର ରହିଛି । ଏହା ଭରତୀୟ ସମ୍ବିଧାନର ଏକ ମୌଳିକ ଅଧିକାର । ଏହା ସାର୍ବଜନୀନ ବ୍ୟବସ୍ଥା, ନୈତିକତା, ସ୍ବାସ୍ଥ୍ୟସେବା ସମ୍ବିଧାନର ଭାଗ-୩ ଅଧୀନରେ ରହିଛି । ଏଠି ପ୍ରଶ୍ନ ଉଠୁଛି କ’ଣ ସାର୍ବଜନୀନ ଅଧିକାର ଆଧାରରେ ମନ୍ଦିରକୁ ବନ୍ଦ କରାଯାଇପାରିବ ? ଯଦି ଅସ୍ପୃଶ୍ୟତା କି ଅନ୍ୟ କିଛି ଅଧିକାରକୁ କ୍ଷୂର୍ଣ୍ଣ କରୁନାହିଁ, ତେବେ ଏହାକୁ ବନ୍ଦ କିମ୍ବା ବନ୍ଦ କରାଯାଇପାରିବ ନାହିଁ । ଏହା ଜଣେ ଶ୍ରଦ୍ଧାଳୁଙ୍କ ପୂଜା କରିବାର ଅଧିକାର । ପାରମ୍ପରିକ ଭାବେ ପୂଜା ଏବଂ ଉତ୍ସବ ମନାଇବାର ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି ।