ଜାଆଁଳା ଭଉଣୀଙ୍କ କଥା ରଖିଲା କରୋନା, ଏକାଠି ଆସିଥିଲେ ଏକାଠି ନେଇଗଲା
25/04/2020 at 2:49 PM

ସାଉଥମ୍ପଟନ: ବ୍ରିଟେନର ଗୋଟିଏ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ଦୁଇ ଜମଜ ଭଉଣୀ କରୋନା ସଂକ୍ରମଣ ଯୋଗୁ ଜଣକ ପରେ ଜଣେ ପ୍ରାଣ ହରାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୟୁନିଭର୍ସିଟି ହସ୍ପିଟାଲ ସାଉଥମ୍ପଟନ (ୟୁଏଚ୍ଏସ୍)ରେ ନର୍ସ ଭାବେ କାମ କରୁଥିବା ୩୭ ବର୍ଷ ବୟସ୍କା ଜାଆଁଳା ଭଉଣୀ କେଟି ଓ ଏମ୍ମା ଡେଭିସ କୋଭିଡ-୧୯ ଭୂତାଣୁ ସଂକ୍ରମିତ ହେବା ଯୋଗୁ ଆଗପଛ ହୋଇ ପୃଥିବୀରୁ ବିଦାୟ ନେଇଛନ୍ତି। ସେମାନେ ଏକତ୍ର ଜନ୍ମ ହୋଇଥିଲେ, ଉଭୟ ଏକତ୍ର ଯିବେ ବୋଲି ସାଙ୍ଗ ସାଥୀଙ୍କୁ କୁହନ୍ତି। କରୋନା ସଂକ୍ରମଣ ସେମାନଙ୍କ ଇଛା ପୂରଣ କରିଛି।

କୋଭିଡ-୧୯ ସଂକ୍ରମିତଙ୍କ ସଂସ୍ପର୍ସରେ ଆସିବା ଯୋଗୁ କେଟି ଓ ଏମ୍ମା ସଂକ୍ରମିତ ହୋଇଥିଲେ। ଗତ ଶୁକ୍ରବାର ସକାଳେ ଏମ୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳବାର କେଟିଙ୍କ ମୃତ୍ୟୁ ହେବାରୁ ଉଭୟଙ୍କୁ ଏକତ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ୟୁନିଭର୍ସିଟି ହସ୍ପିଟାଲର ଶିଶୁ ସ୍ୱାସ୍ଥ୍ୟ ବିଭାଗରେ କେଟି କାମ କରୁଥିଲେ। ସେ ରିସ୍କ ଏଣ୍ଡ ପେସେଣ୍ଟ ସେଫ୍ଟି ନେତୃତ୍ୱ ନେଇଥିବା ବେଳେ କୋଭିଡ-୧୯ ରୋଗୀଙ୍କ ସଂସ୍ପର୍ଷରେ ଆସିଥିଲେ।

ସେହିପରି ଏମ୍ମା କୋଲେରେକ୍ଟଲ ୟୁନିଟ୍ରେ ଗତ ୯ ବର୍ଷ ହେଲା କାମ କରୁଥିଲେ। ସଂକ୍ରମିତ ହେବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଥିଲା। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ସେମାନଙ୍କୁ ହସ୍ପିଟାଲର ଜରୁରି ବିଭାଗରେ ରଖି ଚିକିତ୍ସା କରାଯାଉଥିବା ବେଳେ ପ୍ରଥମେ ଏମ୍ମା ଓ ପରେ କେଟିଙ୍କ ପରଲୋକ ହୋଇଛି। ଫଳରେ ୟୁନିଭର୍ସିଟି ମେଡିକାଲ ହସ୍ପିଟାଲରେ ଶୋକର ଲହରି ଖେଳିଯାଇଛି।