ଏନଫ୍ଲୁଏଞ୍ଜା, SARS-CoV-2 ଏବଂ RSVର ପତ୍ତା ଲଗାଇବ ନୂଆ RT-qPCR କିଟ୍, ମିଳିଲା ଆଇସିଏମଆର ମଞ୍ଜୁରୀ
16/03/2023 at 6:38 PM

ନୂଆଦିଲ୍ଳୀ, ୧୬/୦୩: ଦେଶରେ ଏଚ୩ଏନ୨ ଭାଇରସ ବଢ଼ିବାରେ ଲାଗିଛି। ଏମିତିକି କୋଭିଡ୍ ଭାଇରସ ମଧ୍ୟ ତୀବ୍ରତା ଦେଖାଦେଇଛି। ଏଭଳି ସମୟରେ ଡାକ୍ତର ମଧ୍ୟ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାରି ମଧ୍ୟରେ ଏକ ଭଲ ଖବର ଆସିଛି। ଆଇସିଏମଆର ଗୁରୁବାର ନୋଭେଲ RT-qPCR ଟେଷ୍ଟ କିଟ୍କୁ ମଞ୍ଚୁରୀ ଦେଇଛି। ଚେନ୍ନାଇ ସ୍ଥିତ ମେଡିକାଲ ଟେକ୍ନୋଲୋଜୀ କମ୍ପାନୀ KRIYA ଦ୍ବାରା ନିର୍ମିତ ଏହି କିଟ୍, ଏନଫ୍ଲୁଏଞ୍ଜା (H1N1, H3N2), କୋଭିଡ୍-୧୯ ଏବଂ ଆରଏସଭି ଭାଇରସର ପରୀକ୍ଷା କରିବାରେ ସହାୟକ ହେବ। ଏହି କିଟ୍ KRIVIDA Trivus ନାମରେ ବଜାରରେ ଉପଲବ୍ଧ ହେବ।
KRIVIDA Trivus ସବୁଠୁ କମ୍ ସମୟ ମଧ୍ୟରେ ଏନଫ୍ଲୁଏଞ୍ଜା, SARS-CoV-3 ଏବଂ ଆରଏସଭି ଭାଇରସ ଚିହ୍ନଟ କରିପାରିବ। କମ୍ପାନି ଅନୁଯାୟୀ ମାତ୍ର ୫୦-୬୦ ମିନିଟ୍ ମଧ୍ୟରେ ଫଳାଫଳ ଜଣାପଡ଼ିବ। ଏହାଯୋଗୁଁ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାରେ ଖୁବ୍ ସହାୟକ ହେବ ବୋଲି କୁହାଯାଇଛି। କିଟ୍ର ବ୍ୟବହାର ସବୁ ଉପଲବ୍ଧ ଆରଟି-ପିସିଆର ଉପକରଣରେ ମଧ୍ୟ କରାଯାଇପାରିବ। ଆଇସିଏମଆର ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜୀ, ପୁଣେରେ ଏହି କିଟ୍ର ପରୀକ୍ଷଣ କରିଛି। ଏହି ପରୀକ୍ଷଣରେ ୨୨୫ ପଜିଟିଭ୍ ସାମ୍ପୁଲ ଏବଂ ୮୫ ନେଗେଟିଭ୍ ସାମ୍ପୁଲ୍ ନିଆଯାଇଥିଲା।
KRIYA ମେଡିକାଲ ଟେକ୍ନୋଲୋଜୀର ସିଇଓ ଏବଂ ସଂସ୍ଥାପକ ଅନୁ ମୋଟୁରୀ ଏକ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ଯେ, ‘ବିଗତ କିଛି ସପ୍ତାହ ମଧ୍ୟରେ ଏଚ୩ଏନ୨ ସଂକମ୍ରଣରେ ବୃଦ୍ଧି ହୋଇଛି, କୋଭିଡ୍ ଭାଇରସ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ଏମିତିରେ ଆମକୁ ଏଭଳି ପରୀକ୍ଷଣର ଆବଶ୍ୟକତା ରହିଛି ଯାହାଦ୍ବାରା ଏହିସବୁ ରୋଗକୁ ସ୍ବଷ୍ଟ ଭାବରେ ଜଣାପଡ଼ିବ ଯାହାଦ୍ବାରା ଡାକ୍ତର ଉଚିତ୍ ଚିକିତ୍ସା ଯୋଗାଇପାରିବେ।‘
‘ଆମର ଉତ୍ପାଦ ତିନି ରୋଗର ପାଥୋଜିନ୍କୁ ସନ୍ଧାନ କରିବାକୁ ଡିଜାଇନ୍ କରାଯାଇଛି। କିଟ୍ କେବଳ ସଂକ୍ରମଣର ଉପସ୍ଥିତି କିମ୍ବା ଅନୁପସ୍ଥିତି ଦର୍ଶାଇବ ତାହା ନୁହେଁ ବରଂ ସହ ସଂକ୍ରମଣ ବିଷୟରେ ମଧ୍ୟ ଅଧିକ ସ୍ପଷ୍ଟ ରିପୋର୍ଟ ଦେବ ବୋଲି କହିଛନ୍ତି ଡା. ସନମୁଗା ପ୍ରିୟା। ସେ ଆହୁରି କହିଛନ୍ତି ପରୀକ୍ଷଣ କିଟ୍ ଉତ୍ପାଦନ ଚେନ୍ନାଇର ଓରାଗାଦମ ସ୍ଥିତ ଅତ୍ୟାଧୁନିକ ସୁବିଧା ଥିବା ଫ୍ୟାକ୍ଟ୍ରିରେ କରାଯିବ। ଏହା ସୁଲଭ ମୂଲ୍ୟରେ ସାରା ଦେଶରେ ଉପଲବ୍ଧ।