ବିସ୍ଥାପିତ ଆଫଗାନିସ୍ତାନ ମହିଳା କ୍ରିକେଟରଙ୍କୁ ସହଯୋଗରେ ହାତ ବଢାଇଲା ଆଇସିସି: ଜୟ ଶାହଙ୍କ ଘୋଷଣା

Published By : Prameya-News7 Bureau | April 13, 2025 IST

INTERNET

ନୂଆଦିଲ୍ଲୀ: ତାଲିବାନ ଭୟରେ ଅଷ୍ଟ୍ରେଲିଆରେ ନିର୍ବାସନରେ ରହୁଥିବା ଆଫଗାନିସ୍ତାନ ମହିଳା କ୍ରିକେଟ ଖେଳାଳିଙ୍କୁ ସହାୟତାର ହାତ ବଢ଼ାଇଲା ଆଇସିସି। ଜୟ ଶାହଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ରବିବାର ଏକ ନୂଆ ପ୍ରୟାସ ଆରମ୍ଭ କରିଛି। ଆଫଗାନିସ୍ତାନର ବିସ୍ଥାପିତ ମହିଳା କ୍ରିକେଟରମାନଙ୍କ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। 

ସେମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ଆଇସିସି ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର କ୍ରିକେଟ ବୋର୍ଡର ସହଯୋଗ ଲୋଡ଼ିଛି। ଆଇସିସି ଏହି ପଦକ୍ଷେପ ମାଧ୍ୟମରେ ଆଫଗାନିସ୍ତାନର ପ୍ରତିଭାବାନ ମହିଳା କ୍ରିକେଟରମାନଙ୍କୁ କେବଳ ସେମାନଙ୍କ କ୍ରିକେଟ କ୍ୟାରିୟରରେ ନୁହେଁ ବରଂ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। 

ପଢନ୍ତୁ- ପୁଣି ICC କ୍ରିକେଟ କମିଟି ଅଧ୍ୟକ୍ଷ ମନୋନୀତ ହେଲେ ସୌରଭ ଗାଙ୍ଗୁଲି, ସଦସ୍ୟ ଅଛନ୍ତି ଭି.ଭି.ଏସ. ଲକ୍ଷ୍ମଣ

ଏହି ପଦକ୍ଷେପ ମାଧ୍ୟମରେ ଆଫଗାନୀ ମହିଲା କ୍ରିକେଟରମାନଙ୍କୁ ଖେଳିବା ଜାରି ରଖିବା ପାଇଁ ଆବଶ୍ୟକ ସମ୍ବଳ ଯୋଗାଇ ଦେବାକୁ ଆଇସିସି ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବ। ଏଥିପାଇଁ ଏକ ପାଣ୍ଠି ଗଠନ କରାଯିବ। କେବଳେ ସେତିକି ନୁହେଁ, ସେମାନେ ଯେମିତି ପୂର୍ବପରି ଭଲ ଖେଳ ପ୍ରଦର୍ଶନ କରିପାରିବେ ଏଥିପାଇଁ ଉନ୍ନତ ପ୍ରଶିକ୍ଷଣ, ବିଶ୍ୱସ୍ତରୀୟ ସୁବିଧା ଏବଂ ଅନୁକୂଳ ମାର୍ଗଦର୍ଶନ କରାଯିବ। ଏଥିପାଇଁ ଏକ ହାଇ ପରଫର୍ମାନ୍ସ  ପ୍ରୋଗ୍ରାମର ଆୟୋଜନ କରାଯିବ।

ଏନେଇ ଆଇସିସି ଅଧ୍ୟକ୍ଷ ଜୟ ଶାହ ଖୁସି ବ୍ୟକ୍ତି କରିଛନ୍ତି। ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, " ଯେକୌଣସି  ପରିସ୍ଥିତି ହେଉନା କାହିଁକି, ପ୍ରତ୍ୟେକ କ୍ରିକେଟରଙ୍କୁ ସଫଳତା ହାସଲ କରିବାକୁ ଏକ ସୁଯୋଗ ଦେବ ପାଇଁ ପୂରା ଆଇସିସି ଦଳ ପ୍ରତିଶ୍ରୁତି ବଦ୍ଧ। ଆମେ ଆମର ଅଂଶୀଦାରମାନଙ୍କ ସମର୍ଥନରେ ଏହି ଟାସ୍କ ଫୋର୍ସ ଏବଂ ପାଣ୍ଠି ଗଠନ କରି ଗର୍ବିତ। ଆଫଗାନିସ୍ତାନର ବିସ୍ଥାପିତ ମହିଳା କ୍ରିକେଟରମାନେ ଏହି ହାଇ ପରଫର୍ମାନ୍ସ କାର୍ଯ୍ୟକ୍ରମ ଅଧୀନରେ କିଭଳି ଆଗକୁ ବଢ଼ିପାରିବେ ତାହା ସୁନିଶ୍ଚିତ କରିବାକୁ ଚାହୁଁଛୁ।"

ସୂଚନା ଥାଉକି ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରେ, ମହିଳାମାନଙ୍କୁ ପାଠପଢ଼ା, କ୍ରୀଡ଼ାରେ ଅଂଶଗ୍ରହଣ କରିବା ସମେତ ଅନେକ କାମରୁ ବ୍ୟାନ୍ କରାଯାଇଛି। ତେବେ ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛି କି ଦିନେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଦୁଇଟି ଏପରି ବଡ଼ ଦେଶ ଯେଉଁମାନେ ମହିଳା ସଶକ୍ତିକରଣର କାରଣ ଦର୍ଶାଇ ଆଫଗାନିସ୍ତାନ ପୁରୁଷ ଦଳ ସହିତ ଖେଳିବାକୁ ମନା କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.