ଆଜିଠୁ ଦିନିକିଆ କ୍ରିକେଟ୍ ମହାସମର, ଅହମ୍ମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମୁକାବିଲା
5/10/2023 at 7:55 AM

ମୁମ୍ବାଇ ୦୫।୧୦ : ଶେଷ ହେଲା ଅପେକ୍ଷା । ଗୁରୁବାର ବାଜିବ ବିଗୁଲ । ଆଉ ଆରମ୍ଭ ହେବ ୨୦୨୩ ଦିନିକିଆ ବିଶ୍ୱକପ୍ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଡିଫେଣ୍ଡି ଚମ୍ପିଆନ୍ ଇଂଲଣ୍ଡ ଏବଂ ଡିଫେଣ୍ଡିଂ ରନର୍ସ ଅପ୍ ନ୍ୟୁଜିଲାଣ୍ଡ ଟିମ୍ । ଅପରାହ୍ନ ୨ଟାରେ ଗୁଜୁରାଟର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ଆରମ୍ଭ କରିବାକୁ ଉଭୟ ବି ଟିମ୍ ତୟାର ।
ଖବର ଅନୁଯାୟୀ, ପ୍ରଥମ ମ୍ୟାଚ୍ ପୂର୍ବରୁ ଆହତ ସମସ୍ୟା ଲାଗି ଦ୍ରୁତ ବୋଲର ଟିମ୍ ସାଉଦି ଏବଂ ଅଧିନାୟକ କେନ୍ ଓ୍ୱିଲିୟମସନ ବାଦ୍ ପଡିପାରନ୍ତି । କେନ୍ ଓ୍ୱିଲିୟମସନଙ୍କ ବଦଳରେ ଟମ୍ ଲାଥନଙ୍କୁ ଅଧିନାୟକ ଦାୟିତ୍ୱ ମିଳିପାରେ । ସେହିପରି ବେନ୍ ଷ୍ଟୋକ୍ସ ମଧ୍ୟ ପ୍ରଥମ ମ୍ୟାଚ୍ ଖେଳିନପାରନ୍ତି । ବ୍ୟକ୍ତିଗତ କାରଣ ଲାଗି ସେ ମଧ୍ୟ ପ୍ରଥମ ମ୍ୟାଚ୍ରେ ଅନୁପସ୍ଥିତ ରହିପାରନ୍ତି ।
ତେବେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ବିଶ୍ୱକପ୍ର ଏକା ଆୟୋଜକ ରହିଛି । ଆୟୋଜକ ଭାରତ ସମେତ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ନେଦରଲାଣ୍ଡସ ଟାଇଟଲ ଲଢ଼େଇରେ ସାମିଲ ହୋଇଛନ୍ତି ।
ଆସନ୍ତା ୮ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଶ୍ୱକପ୍ରେ ଅଭିଯାନ ଆରମ୍ଭ କରିବ । ବିଶ୍ୱକପ୍ର ସବୁଠୁ ହାଇଭୋଲଟେଜ ଲଢ଼େଇ ଆସନ୍ତା ୧୪ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଗୁରୁବାରଠୁ ବିଶ୍ୱକପ୍ର ୧୩ତମ ସଂସ୍କରଣ ଆରମ୍ଭ ହୋଇ ନଭେମ୍ବର ୧୯ ତାରିଖରେ ଶେଷ ହେବ ।
ଦେଶର ପ୍ରମୁଖ ୧୦ଟି ସହରରେ ଖେଳାଯିବ ବିଶ୍ୱକପ୍ । ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁନେ ଭେନ୍ୟୁ ତାଲିକାରେ ରହିଛନ୍ତି । ତେଣୁ ୧୦ ଦଳ, ୧୦ଟି ଭେନ୍ୟୁରେ ଖେଳିବେ ମୋଟ୍ ୪୮ଟି ମ୍ୟାଚ୍ ।