ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଆନୁକୂଲ୍ୟରେ ଖେଳାଯିବ। ତେବେ ଏ ପର୍ଯ୍ୟନ୍ତ ଏହାର କ୍ରୀଡ଼ାସୂଚୀ ଜାରି କରାଯାଇ ପାରି ନାହିଁ। ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ଭାରତ ମନା କରିବା ପରେ କ୍ରୀଡ଼ାସୂଚୀ ଘୋଷଣାରେ ବିଳମ୍ବ ହେବାରେ ଲାଗିଛି। ପାକିସ୍ତାନ ଓ ଭାରତ ମଧ୍ୟରେ ବିବାଦରେ ପେଶି ହୋଇ ଯାଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ତେବେ ସଦ୍ୟତମ ଖବର ଅନୁଯାୟୀ, ଆଇସିସି ଏହି ବିବାଦର ସମାଧାନ ପାଇଁ ମିଟିଂ କରିବାକୁ ନିଷ୍ପତ୍ତି ନେଇଛି।
ଇଏସପିଏନକ୍ରିକଇନମ୍ଫୋର ଖବର ଅନୁଯାୟୀ, ଆଇସିସି ପକ୍ଷରୁ ନଭେମ୍ବର ୨୯ରେ ବୋର୍ଡ ବୈଠକ ହେବାକୁ ଯାଉଛି। ବୈଠକରେ ଚାମ୍ପିଅନ୍ସ ଟ୍ରଫି କାର୍ଯ୍ୟସୂଚୀକୁ ନେଇ ଆଲୋଚନା ହେବ। ଏଥିରେ ଭାରତ ପାକିସ୍ତାନ ଆସିବ କି ନାହିଁ ? କି ହାଇବ୍ରିଡ ମୋଡେଲ୍ ଆଧାରରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ଏହା ଉପରେ ଆଲୋଚନା ହେବ। ଆସନ୍ତାବର୍ଷ ଫେବୃଆରୀରେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ, କିନ୍ତୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ କ୍ରୀଡ଼ାସୂଚୀ ଆସିବା ବାକି ରହିଛି।
Also read: ବୁମରାଙ୍କ ବଡ଼ ବୟାନ, କହିଲେ- ବିରାଟଙ୍କ ପାଇଁ ଆମେ ଜରୁରୀ ନୁହଁ.. ବରଂ ସେ ଆମ ଲାଗି ଜରୁରୀ
ମିଟିଂରେ ବିବାଦର ସମାଧାନ ପାଇଁ ସବୁ ସଦସ୍ୟଙ୍କୁ ମତଦାନ କରିବା ପାଇଁ କୁହାଯାଇପାରେ। ବୋର୍ଡରେ ୧୨ ପୂର୍ଣ୍ଣକାଳୀନ ସଦସ୍ୟ ଦେଶର ପ୍ରତିନିଧି, ଆସୋସିଏଟ୍ ଦେଶର ତିନି ପ୍ରତିନିଧି, ଆଇସିସି ଅଧ୍ୟକ୍ଷ ଓ ସିଇଓଙ୍କ ସହିତ ସ୍ଵତନ୍ତ୍ର ନିର୍ଦ୍ଦେଶକ ମିଟିଂରେ ଯୋଗ ଦେବେ।
ଯଦି ହାଇବ୍ରିଡ ମୋଡେଲ୍ରେ ହୁଏ ଟୁର୍ଣ୍ଣାମେଣ୍ଟ
ଭାରତ ସରକାର ନିଜ ଦଳକୁ ପାକିସ୍ତାନ ଗସ୍ତ କରିବାକୁ ଅନୁମତି ଦେଇ ନାହିଁ। ଅନ୍ୟପଟେ ପାକିସ୍ତାନ ନିଜ ଦେଶରେ ଟୁର୍ଣ୍ଣାମେର୍ଣ୍ଣ ଆୟୋଜନ କରିବା ଜିଦରେ ଅଟଳ ରହିଛି। ହାଇବ୍ରିଡ ମୋଡେଲ୍କୁ ପିସିବି ଗ୍ରହଣ କରିବାକୁ ନାରାଜ। ଯଦି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମୋଡେଲ୍ ଆଧାରରେ ଖେଳା ଯାଏ ତେବେ ଭାରତ କିମ୍ବା ଦକ୍ଷିଣ ଆଫ୍ରିକାରେ ଆୟୋଜନ କରାଯାଇପାରେ।
ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ୍ ଦଳ ଶେଷ ଥର ୨୦୦୮ରେ ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ କରିଥିଲେ। ଏହା ପରଠୁ ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା କାରଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବା ବନ୍ଦ କରି ଦେଇଛି। ପୁଣି ଧିରେ ଧିରେ ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ଆୟୋଜନ ବନ୍ଦ ହୋଇଗଲା। କିନ୍ତୁ ପାକିସ୍ତାନ ଦଳର ଭାରତ ଗସ୍ତ ଜାରି ରହିଥିଲା। ପାକିସ୍ତାନ ୨୦୧୨ରେ ଭାରତ ଗସ୍ତ କରି ଦ୍ଵିପାକ୍ଷିକ ସିରିଜ୍ ଖେଳିଥିଲା। ୨୦୧୬ରେ ଟି-୨୦ ବିଶ୍ଵକପ୍ ଏବଂ ୨୦୨୩ରେ ଦିନିକିଆ ବିଶ୍ଵକପ୍ ପାଇଁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସିଥିଲା।