ICC ଟେଷ୍ଟ ରାଙ୍କିଂ : କ୍ୟାରିୟର୍‌ ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚିଲେ ଋଷଭ ପନ୍ତ, ଧୋନି ବି ପାଇନାହାନ୍ତି ଏହି ସଫଳତା

Published By : Prameya-News7 Bureau | February 17, 2021 IST

ନୂଆଦିଲ୍ଲୀ, ୧୭/୦୨: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ ପରିଷଦ ବା ଆଇସିସି ଟେଷ୍ଟ କ୍ରିକେଟ୍‌କୁ ନେଇ ରାଙ୍କିଂ ପ୍ରକାଶ କରିଛି । ଏହି ତାଜା ବିଶ୍ୱ ରାଙ୍କିଂର ବ୍ୟାଟ୍ସମ୍ୟାନଙ୍କ ସୂଚୀରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଋଷଭ୍‌ ପନ୍ତ ୧୧ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ୭୧୫ ରେଟିଂ ହାସଲ୍‌ କରି ସେ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ଋଷଭ୍‌ ପନ୍ତ ହେଉଛନ୍ତି  ପ୍ରଥମ ଭାରତୀୟ ୱିକେଟ୍‌ କିପର୍‌ ଯିଏ କି ୭ ଶହ ଅଙ୍କକୁ ପାର କରିଛନ୍ତି ।

ଭାରତର ପୂର୍ବ ମହାନ ୱିକେଟ୍‌ କିପର୍ ମହେନ୍ଦ୍ର ସିଂ ଧୋନି ତାଙ୍କ କ୍ୟାରିୟରରେ ୬୬୨ ରେଟିଂ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତାଙ୍କ ଛଡ଼ା ଫାରୁଖ୍‌ ଇଞ୍ଜିନିୟର୍‌ ୬୧୯ ପଏଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ । ଧୋନିଙ୍କର ସର୍ବଶ୍ରେଷ୍ଠ ରାଙ୍କିଂ ୧୯ ତମ ସ୍ଥାନ ରହିଥିଲା । ୧୯୭୩ରେ ଫାରୁଖ୍‌ ଇଞ୍ଜିନିୟର୍‌ ମଧ୍ୟ କ୍ୟାରିଅର୍‌ର ସର୍ବଶ୍ରେଷ୍ଠ ରାଙ୍କିଂ ୧୭ତମ ସ୍ଥାନରେ ପହଞ୍ଚିଥିଲେ ।

ଅଷ୍ଟ୍ରେଲିଆ ଗସ୍ତ ପରଠାରୁ ପନ୍ତ ଜବରଦସ୍ତ ଫର୍ମରେ ଅଛନ୍ତି । ସିଡନୀ ଟେଷ୍ଟରେ ପନ୍ତ ଚତୁର୍ଥ ଇନିଂସରେ ୮୭ ରନ୍ ସଂଗ୍ରହ କରିଥିଲେ । ତାଙ୍କର ଦମ୍‌ଦାର ବ୍ୟାଟିଂ ଫଳରେ  ଭାରତ ଏହି ଟେଷ୍ଟକୁ ଡ୍ର ରଖିବାରେ ସଫଳ ହୋଇଥିଲା । ଏହା ପରେ ବ୍ରିସବେନ ଟେଷ୍ଟର ଚତୁର୍ଥ ଇନିଂସରେ ପନ୍ତଙ୍କ ଅପରାଜିତ ୮୯ ରନ୍ ଭାରତକୁ ଏକ ଐତିହାସିକ ବିଜୟ ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ପନ୍ତ ମଧ୍ୟ ୯୧ ରନ୍ ସଂଗ୍ରହ କରିଥିଲେ । ଏହା ପରେ ସେ ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୭୭ ବଲରୁ ଅପରାଜିତ ୫୮ ରନ୍ କରିଥିଲେ ।

ଅଲରାଉଣ୍ଡର ତାଲିକାରେ ଅଶ୍ୱିନ୍ ୩୩୬ ପଏଣ୍ଟ ପାଇଛନ୍ତି । ଏହି ତାଲିକାରେ ୱେଷ୍ଟଇଣ୍ଡିଜ୍‌ର ଜେସନ ହୋଲ୍ଡର ୪୦୭ ପଏଣ୍ଟ ସହିତ ଶୀର୍ଷରେ ଅଛନ୍ତି । ତାଙ୍କ ପରେ ଅଶ୍ୱିନଙ୍କ ସ୍ପିନ୍ ପାର୍ଟନର ରବିନ୍ଦ୍ର ଜାଡେଜା ୪୦୩ ପଏଣ୍ଟ, ଇଂଲଣ୍ଡର ବେନ ଷ୍ଟୋକ୍ସ ୩୯୭ ଏବଂ ବାଂଲାଦେଶର ଶାକିବ ଅଲ ହାସନ ୩୫୨ ପଏଣ୍ଟରେ ଅଛନ୍ତି । ବୋଲର ତାଲିକାରେ ୩୪ ବର୍ଷୀୟ ଅଶ୍ୱିନ ୮୦୪ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଥିବାବେଳେ ଜସପ୍ରୀତ୍‌ ବୁମ୍ରା ୭୬୧ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ୯୦୮ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.