ICC Test Ranking: ନମ୍ବର ୧ ବୋଲର ହେଲେ ଆର ଅଶ୍ଵିନ, ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇଲେ
1/03/2023 at 3:55 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ବୁଧବାର ସଦ୍ୟତମ ଟେଷ୍ଟ ରାଙ୍କିଂ ଜାରି କରାଯାଇଛି। ବୋଲିଂ ମାନ୍ୟତାରେ ପୁଣି ଥରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ତାରକା ବୋଲର ରବିଚନ୍ଦ୍ରନ ଅଶ୍ଵିନ। ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଏକ ନମ୍ବର ବୋଲର ମାନ୍ୟତା ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ଦ୍ଵିତୀୟ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିବା ଅଶ୍ଵିନଙ୍କୁ ଏହାର ଫାଇଦା ମିଳିଛି। ୩୬ ବର୍ଷୀୟ ଅଶ୍ଵିନ ୨୦୧୫ରେ ପ୍ରଥମ ଥର ନମ୍ବର ଓ୍ଵାନ ଟେଷ୍ଟ ବୋଲରର ମାନ୍ୟତା ହାସଲ କରିଥିଲେ। ଏହା ପରେ ସେ ଅନେକ ଥର ଶୀର୍ଷ ସ୍ଥାନରେ ରହିଥିଲେ।
ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଗୋଟିଏ ସ୍ଥାନ ଫାଇଦା ମିଳିଛି। ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଭାରତର ୩ ବୋଲର ଶୀର୍ଷ ୧୦ରେ ଅଛନ୍ତି। ତୃତୀୟରେ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ଥିବା ବେଳେ ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ପଞ୍ଚମରେ ଅଛନ୍ତି।
ଷଷ୍ଠରେ ଇଂଲଣ୍ଡର ଓଲି ରବିନସନ ଏବଂ ସପ୍ତମରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଅଛନ୍ତି। ନବମ ସ୍ଥାନରେ ନ୍ୟୁଜିଲାଣ୍ଡରେ କାଇଲ୍ ଜେମିସନ ଏବଂ ୧୦ମରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ଅଛନ୍ତି। ଭାରତୀୟ ବୋଲର ମହମ୍ମଦ ଶାମି ୧୮ତମ ସ୍ଥାନରେ ବିରାଜମାନ ଅଛନ୍ତି। ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ରବୀନ୍ଦ୍ର ଜାଡେଜା ଏବଂ ଆର ଅଶ୍ଵିନ କ୍ରମଶଃ ନମ୍ବର ୧ ଏବଂ ନମ୍ଵର ୨ ସ୍ଥାନରେ ରହିଛନ୍ତି। ପଞ୍ଚମରେ ଅଛନ୍ତି ଅକ୍ଷର ପଟେଲ୍।