ICC Test Ranking: ଜୁରେଲଙ୍କ ଲମ୍ଫ ଡିଆଁ, ଗିଲ୍-ଯଶସ୍ଵୀଙ୍କୁ ଫାଇଦା; କ୍ଷତିରେ ରୋହିତ ଓ କୋହଲି

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଏଥିରେ ଭାରତର ଯୁବ ଓ୍ଵିକେଟ୍ କିପର ବ୍ୟାଟର ଧ୍ରୁବ  ଜୁରେଲ ବଡ଼ ଲମ୍ଫ ଡିଆଁ ମାରିଛନ୍ତି। ଜୁରେଲ ୪୬୧ ରେଟିଂ ପଏଣ୍ଟ ସହ  ୩୧ଟି ସ୍ଥାନ ଉପରକୁ ଉଠି ୬୯ତମ ସ୍ଥାନରେ ପହଞ୍ଚିଛନ୍ତି। ରାଞ୍ଚି ଟେଷ୍ଟର ପ୍ରଥମ ଇନିଂସରେ ମୁସ୍କିଲ ସ୍ଥିତିରେ ଥିବା ଭାରତୀୟ ଇନିଂସ ସମ୍ଭାଳି ୯୦ ରନ ଓ ଦ୍ଵିତୀୟ ଇନିଂସରେ ୩୯ ରନ କରିଥିଲେ। ମ୍ୟାଚ୍ ବିଜୟୀ ପ୍ରଦର୍ଶନ ଯୋଗୁଁ ଜୁରେଲ ଉକ୍ତ ମ୍ୟାଚ୍ରେ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

wp:heading {"level":4}

Also read- ମାଲାମାଲ୍ ହେବେ ଭାରତୀୟ ଖେଳାଳି ! ଦରମା ବଢିବା ସହ ମିଳିବ ବୋନସ

/wp:heading

ଭାରତୀୟ ଓପନର ଯଶସ୍ଵୀ  ଜୟସ୍ଵାଲ ଓ ଶୁଭମନ ଗିଲ୍‌ଙ୍କୁ ମଧ୍ୟ ମାନ୍ୟତାରେ ଫାଇଦା ମିଳିଛି। ଯଶସ୍ଵୀ ତିନୋଟି ସ୍ଥାନ ଉନ୍ନତି ଘଟାଇ ୧୨ମରେ ପହଞ୍ଚିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ  ମାନ୍ୟତା। ତାଙ୍କ ଖାତାରେ ବର୍ତ୍ତମାନ ୭୨୧ ରେଟିଂ ପଏଣ୍ଟ ରହିଛି। ଯଶସ୍ଵୀ ରାଞ୍ଚି ଟେଷ୍ଟରେ ୭୩ ରନ ଓ ୩୭ ରନ କରିଥିଲେ। ଗିଲ୍ ଚାରୋଟି ସ୍ଥାନ ଉନ୍ନତି ଘଟାଇ ୬୧୬ ଅଙ୍କ ସହ ୩୧ମ ସ୍ଥାନରେ ପହଞ୍ଚିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା(୭୨୦ ପଏଣ୍ଟ)ଙ୍କୁ ଗୋଟିଏ ସ୍ଥାନ ଓ ବିରାଟ କୋହଲି(୭୪୪ ପଏଣ୍ଟ)ଙ୍କୁ ଦୁଇଟି ସ୍ଥାନ ହରାଇବାକୁ ପଡ଼ିଛି।

ରାଞ୍ଚି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ଶର୍ମା ଟେଷ୍ଟ ମାନ୍ୟତାର ୧୩ତମ ଓ ବିରାଟ କୋହଲି ନବମ ସ୍ଥାନକୁ ଖସିଛନ୍ତି। ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରୁ ଓହରି ଯାଇଛନ୍ତି। ନ୍ୟୁଜିଲାଣ୍ଡର ବରିଷ୍ଠ ବ୍ୟାଟର କେନ ଓ୍ଵିଲିୟମସନ(୮୯୩ ପଏଣ୍ଟ) ପୂର୍ବବତ୍ତ ଶୀର୍ଷ ସ୍ଥାନରେ  ରହିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍(୮୧୮ ପଏଣ୍ଟ) ଦ୍ଵିତୀୟ ଓ ଇଂଲଣ୍ଡର ଜୋ ରୁଟ୍(୭୯୯) ତୃତୀୟ ସ୍ଥାନରେ ରହିଛନ୍ତି। ରୁଟ୍ ଚତୁର୍ଥ ଟେଷ୍ଟରେ ଶତକ ହାସଲ କରିଥିଲେ, ଯେଉଁଥିରେ ସେ ଦୁଇଟି ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି।

ଟେଷ୍ଟ ଅଲରାଉଣ୍ଡର ତାଲିକାରେ ତିନୋଟି ସ୍ଥାନ ଉନ୍ନତି ଘଟାଇ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ଜୋ ରୁଟ୍। ତାଲିକାରେ ରବୀନ୍ଦ୍ର ଜାଡ଼େଜା ଶୀର୍ଷରେ ଅଛନ୍ତିୱ। ବୋଲିଂ ମାନ୍ୟତାରେ ଯଶପ୍ରୀତ ବୁମରା ଶୀର୍ଷରେ କାଏମ ରହିଛନ୍ତି। ଭାରତୀୟ ସ୍ପିନର କୁଲଦୀପ ଯାଦବ ଗତ ଟେଷ୍ଟରେ ୪ ଓ୍ଵିକେଟ୍ ନେବା ପରେ ୧୦ଟି ସ୍ଥାନ ଉପରକୁ ଉଠି ୩୨ତମ ସ୍ଥାନରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.