ଆଇସିସି ଟି-୨୦ ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ମଜବୁତ କଲା ଭାରତ, ଅଷ୍ଟ୍ରେଲିଆର କ୍ଷତି

Published By : Prameya-News7 Bureau | September 26, 2022 IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତ ୨-୧ରେ ହରାଇଛି। ସିରିଜ୍ ବିଜୟ ସହ ଭାରତୀୟ ଦଳ ଆଇସିସି ଟି-୨୦ ମାନ୍ୟତାରେ ଶୀର୍ଷରେ ନିଜର ସ୍ଥାନକୁ ଆହୁରି ସୁଦୃଢ କରି ପାରିଛି। ରୋହିତଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ୨୬୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ଏବଂ ଦ୍ଵିତୀୟ ସ୍ଥାନରେ ଥିବା ଇଂଲଣ୍ଡଠୁ ସାତ ପଏଣ୍ଟ ଆଗରେ ରହିଛି। ପାକିସ୍ତାନ ବିପକ୍ଷରେ ଚତୁର୍ଥ ଟି-୨୦ ହାରିଥିବା ଇଂଲଣ୍ଡର ୨୬୧ ରେଣ୍ଟିଂ ପଏଣ୍ଟ ରହିଛି। ଭାରତଠୁ ସିରିଜ୍ ହାରିବା ପରେ ଅଷ୍ଟ୍ରେଲିଆକୁ ଗୋଟିଏ ପଏଣ୍ଟ କ୍ଷତି ଘଟିଛି ଏବଂ ୨୫୦ ପଏଣ୍ଟ ସହିତ ଦଳ ଷଷ୍ଠ ସ୍ଥାନରେ ରହିଛି।

ଆଇସିସି ମାନ୍ୟତାରେ ଇଂଲଣ୍ଡ ନିକଟରେ ଭାରତକୁ ପଛରେ ପକାଇବାର ସୁଯୋଗ ରହିଛି। ପାକିସ୍ତାନ ବିପକ୍ଷରେ ସାତ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ ଏବେ ୨-୨ରେ ବରାବର ରହିଛି। ସିରିଜ୍‌ର ଅବଶିଷ୍ଟ ତିନି ମ୍ୟାଚ୍ ଜିତି ଭାରତର ନିକଟତର ହେବାକୁ ଚାହିଁବ। ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ୨୫୮ ପଏଣ୍ଟ ସହିତ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷେ ସେପ୍ଟେମ୍ବର ୨୮ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ।

ସେହିପରି ନ୍ୟୁଜିଲାଣ୍ଡ ପଞ୍ଚମରେ ଥିବା ବେଳେ ଓ୍ଵେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ କ୍ରମଶଃ ସପ୍ତମ, ଅଷ୍ଟମ, ନବମ ଏବଂ ଦଶମ ସ୍ଥାନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.