ଆଇସିସି ଟି୨୦ ରାଙ୍କିଂ : ସିରିଜ୍ ଜିତିଲେ ୨ ନମ୍ବରରେ ପହଁଚି ଯିବ ଭାରତ

Published By : Prameya-News7 Bureau | December 04, 2020 IST

ସିଡନୀ, ୦୪|୧୨ : ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ଟି୨୦ ସିରିଜ । ଟିମ୍ ଇଣ୍ଡିଆ ଦିନିକିଆ ସିରିଜରେ ପରାସ୍ତ ହୋଇ ସାରିଛି । କିନ୍ତୁ ଶେଷ ଦିନିକିଆରେ ଭାରତ ଜିତିଥିବା ବେଳେ ଟି୨୦ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଏହି ସିରିଜ ପରେ ଟି୨୦ ଆଇସିସି ରାଙ୍କିରେ ବଡ ପରିବର୍ତ୍ତନ ହୋଇପାରେ । ଭାରତ ଓ ଅଷ୍ଟ୍ରେଲିଆ ପାଖରେ ରାଙ୍କିଂରେ ସୁଧାର ପାଇଁ ସୁଯୋଗ ରହିଛି ।

ବର୍ତ୍ତମାନ ଟି୨୦ ରାଙ୍କିରେ ଇଂଲଣ୍ଡ ୧ ନମ୍ବରରେ ରହିଛି । ଇଂଲଣ୍ଡ ଖାତାରେ ୨୫ ମ୍ୟାଚରୁ ୨୭୫ ପଏଣ୍ଟ ରହିଛି । ଅଷ୍ଟ୍ରେଲିଆ ପାଖରେ ୨୨ ମ୍ୟାଚରୁ ସମାନ ପଏଣ୍ଟ ରହିଛି । କିନ୍ତୁ ମୋଟ୍ ପଏଣ୍ଟରେ ଅଷ୍ଟ୍ରେଲିଆ ପଛରେ ରହିଛି । ଅଷ୍ଟ୍ରେଲିଆ ପାଖରେ ୬୦୪୭ ପଏଣ୍ଟ ଓ ଇଂଲଣ୍ଡ ପାଖରେ ୬୮୭୭ ପଏଣ୍ଟ ରହିଛି । ୩ ନମ୍ବରରେ ଭାରତ ଅଛି ।

ଭାରତୀୟ ଦଳ ପାଖରେ ୨ ନମ୍ବର ରାଙ୍କରେ ପହଁଚିବା ପାଇଁ ସୁଯୋଗ ରହିଛି । ଯଦି ଦଳ କ୍ଲିନ୍ ସ୍ୱିପ୍ କରେ ତେବେ ୨୭୧ ରେଟିଂ ସହ ୨ ନମ୍ବରରେ ପହଁଚିଯିବ । ଅଷ୍ଟ୍ରେଲିଆ ୨୬୮ ରେଟିଂ ସହ ୩ ନମ୍ବର ସ୍ଥାନକୁ ଖସି ଆସିବ ।

ଅଷ୍ଟ୍ରେଲିଆ ପାଖରେ ମଧ୍ୟ ରାଙ୍କ୍ ୧ ହାସଲ କରିବା ପାଇଁ ସୁଯୋଗ ରହିଛି । ସିରିଜ ଜିତିଲେ ଅଷ୍ଟ୍ରେଲିଆ ଟପ୍‌ରେ ପହଁଚିଯିବ । ୨-୦ରେ ସିରିଜ ଜିତିଲେ ଦଳର ରେଟିଂ ପଏଣ୍ଟ ୨୭୬ ହୋଇଯିବ । କ୍ଲିନ୍ ସ୍ୱିପ୍ କରିବା ପରେ ଦଳର ରେଟିଂ ପଏଣ୍ଟ ୨୮୦ ହୋଇଯିବ । ଏପରି ହେଲେ ଭାରତର ରେଟିଂ ପଏଣ୍ଟ ୨୬୩ ହୋଇଯିବ । ଅର୍ଥାତ ପାକିସ୍ତାନରୁ କେବଳ ଗୋଟିଏ ପଏଣ୍ଟ ଅଧିକ । ଆହୁରି ମଧ୍ୟ ଦଳ ଚତୁର୍ଥ ସ୍ଥାନକୁ ଖସିବା ନେଇ ଆଶଙ୍କା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.