ଆଇସିସି ଦିନିକିଆ ମାନ୍ୟତା, ଅଷ୍ଟମ ସ୍ଥାନକୁ ଉଠିଲେ କୋହଲି

Published By : Prameya-News7 Bureau | December 15, 2022 IST

ମୁମ୍ବାଇ ୧୫।୧୨ : ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତୀୟଙ୍କ ଉନ୍ନତି ହୋଇଛି । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ଶତକ ଅର୍ଜନ କରିଥିବା ବିରାଟ କୋହଲି ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଗତ ସପ୍ତାହରେ ସେ ୧୧ତମ ସ୍ଥାନରେ ରହିଥିଲେ ।

ସେହିପରି ଦ୍ରୁତତମ ଦ୍ୱିଶତକ ଅର୍ଜନ କରି ରେକର୍ଡ ସ୍ଥାପନ କରିଥିବା ଇଶାନ କିଷନଙ୍କ ମାନ୍ୟତାରେ ୧୧୭ଟି ସ୍ଥାନ ଉନ୍ନତି ହୋଇଛି । ଗତ ସପ୍ତାହରେ ସେ ୧୫୪ତମ ସ୍ଥାନରେ ରହିଥିଲେ । ଦ୍ୱିଶତକୀୟ ଇନିଂସ ପରେ ସେ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶ୍ରେୟାସ ଆୟର ୧୫ତମ ସ୍ଥାନ ଅଧିକାର କରିଛନ୍ତି । ପାକିସ୍ତାନର ବାବର ଆଜମ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ୬ନଂ ସ୍ଥାନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି । ଜନି ବେୟାରଷ୍ଟୋ ସପ୍ତମକୁ ଉଠିଛନ୍ତି ।

ରୋହିତ ଶର୍ମାଙ୍କ ମାନ୍ୟତାରେ ୨ଟି ସ୍ଥାନ ଅବନତି ହୋଇଛି । ସେ ବର୍ତ୍ତମାନ ନବମ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଦଶମ ସ୍ଥାନକୁ ଖସିଛନ୍ତି । ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ମାର୍ନସ ଲାବୁସାନ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଷ୍ଟିଭେନ ସ୍ମିଥ୍‌ ଦ୍ୱିତୀୟକୁ ଉଠିଛନ୍ତି । ବାବର ଆଜମ ତୃତୀୟ, ଜୋ ରୁଟ୍‌ ଚତୁର୍ଥ ଓ ରିଷଭ ପନ୍ତ ପଞ୍ଚମ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.