କ୍ୟାରିୟରର ଶ୍ରେଷ୍ଠ ରାଙ୍କିଂରେ ରେଣୁକା, ଖସିଲେ ସ୍ମୃତି ମନ୍ଧନା ଓ ସେଫାଳି ବର୍ମା

Published By : Prameya-News7 Bureau | August 10, 2022 IST

ମୁମ୍ବାଇ ୧୦।୦୮: ଆଇସିସି ପକ୍ଷରୁ ମଙ୍ଗଳବାର ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକା ଘୋଷଣା ହୋଇଛି । ବୋଲିଂ ତାଲିକାରେ ଭାରତର ପ୍ରତିଭାବାନ ପେସ୍‌ ବୋଲର ରେଣୁକା ସିଂହ କ୍ୟାରିୟର ଶ୍ରେଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ବ୍ୟାଟିଂରେ ଜେମିମା ରୋଡ୍ରିଗ୍ସ ଶ୍ରେଷ୍ଠ-୧୦କୁ ଫେରିଛନ୍ତି । ଅନ୍ୟ ପଟରେ ଓପନର ସ୍ମୃତି ମନ୍ଧନା ଓ ସେଫାଳି ବର୍ମାଙ୍କ ମାନ୍ୟତାରେ ଅବନତି ଘଟିଛି ।

ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଟି-ଟ୍ୱେଣ୍ଟି ପ୍ରତିଯୋଗିତାରେ ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ରେଣୁକା ଶ୍ରେଷ୍ଠ-୨୦ ମଧ୍ୟରେ ସ୍ଥାନ ପାଇଛନ୍ତି। ସେ ୧୦ଟି ସ୍ଥାନ ଉନ୍ନତି ଘଟାଇ ୧୮ତମ ସ୍ଥାନରେ ରହିଛନ୍ତି । ରେଣୁକା ଭାରତର ରୌପ୍ୟ ପଦକ ବିଜୟରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୧୧ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସ୍ପିନର ରାଧା ଯାଦବ ୧୪ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଖସି ଷଷ୍ଠରେ ରହିଛନ୍ତି । ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍‌ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

ବ୍ୟାଟିଂ ମାନ୍ୟତା ତାଲିକାରେ ମନ୍ଧନା ୨ଟି ସ୍ଥାନ ଖସି ଚତୁର୍ଥ, ସେଫାଳି ଗୋଟିଏ ସ୍ଥାନ ଖସି ଷଷ୍ଠରେ ରହିଛନ୍ତି । ଯୁବ ବ୍ୟାଟର ଜେମିମା ୭ଟି ସ୍ଥାନ ଉପରକୁ ଉଠି ଦଶମ ସ୍ଥାନ ଅଧିକାର କରିଛନ୍ତି । ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୪୬ ରନ୍‌ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପ୍ତି ୩୬ତମ ସ୍ଥାନକୁ ଉଠିଛନ୍ତି । ଅଷ୍ଟ୍ରେଲିଆର ବେଥ୍‌ ମୁନି ଶୀର୍ଷ ସ୍ଥାନ ଫେରି ପାଇଥିବାବେଳେ ମେଗ ଲାନିଙ୍ଗ୍‌ ଦ୍ୱିତୀୟ ଓ ସୋଫି ଡିଭାଇନ୍‌ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଲରାଉଣ୍ଡର ତାଲିକାରେ ସୋଫି ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଦୀପ୍ତିଙ୍କ ଚତୁର୍ଥ ସ୍ଥାନ ଅପରିବର୍ତ୍ତିତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.