ଦିନିକିଆ ରାଙ୍କିଙ୍ଗରେ ଗିଲ୍‌ଙ୍କ କମାଲ, ୪୫ଟି ସ୍ଥାନ ଉପରକୁ ଉଠିଲେ, ଜାଣନ୍ତୁ କୋହଲି ଏବଂ ରୋହିତଙ୍କ ସ୍ଥିତି

Published By : Prameya-News7 Bureau | August 24, 2022 IST

ଦୁବାଇ: ଅନ୍ତଜାର୍ତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରିଛି। ଏଥିରେ  ଭାରତୀୟ ଓପନିଂ ବ୍ୟାଟସମ୍ୟାନ ଶୁଭମାନ ଗିଲ୍ ବଡ ଲମ୍ଫ ମାରିଛନ୍ତି। ଜିମ୍ବାଓ୍ଵେ ବିପକ୍ଷ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନର ପୁରସ୍କାର ସ୍ଵରୂପ ଗିଲ୍‌ଙ୍କ ମାନ୍ୟତାରେ ୪୫ଟି ସ୍ଥାନ ଉନ୍ନତି ଘଟିଛି। ସେ ଏବେ ମାନ୍ୟତାର ୩୮ତମ ସ୍ଥାନରେ ପହଞ୍ଚିଛନ୍ତି। ହରାରେ ଖେଳା ଯାଇଥିବା ଶେଷ ଦିନିକିଆରେ ଗିଲ୍ ୯୭ ବଲ୍‌ରୁ ୧୩୦ ରନର ଦମଦାର ଇନିଂସ ଖେଳିଥିଲେ। ସେହିପରି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୭୪୪ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ତାଙ୍କୁ ଜିମ୍ବାଓ୍ଵେ ଗସ୍ତରୁ ବିଶ୍ରାମ ଦିଆଯାଇଥିଲା।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ରହିଛନ୍ତି। ତାଙ୍କୁ ବି ଜିମ୍ବାଓ୍ଵେ ଗସ୍ତରୁ ବିଶ୍ରାମ ଦିଆଯାଇଥିଲା। ଜିମ୍ବାଓ୍ଵେ ବିପକ୍ଷ ତିନୋଟି ମ୍ୟାଚ୍‌ରେ ୧୫୪ ରନ କରିବା ସତ୍ତ୍ଵେ ଅନୁଭବୀ ଓପନିଂ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ ଗୋଟିଏ ସ୍ଥାନ ତଳକୁ ଖସି ୧୨ମ ସ୍ଥାନରେ ରହିଛନ୍ତି। ସେ ପ୍ରଥମ ଏବଂ ତୃତୀୟ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଥିଲେ।

ପାକିସ୍ତାନର ଅଧିନାୟକ ବାବର ଆଜମ ମୋଟ୍ ୮୯୧ ପଏଣ୍ଟ ସହିତ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶୀର୍ଷରେ ରହିଛନ୍ତି। ୭୮୯ ରେଟିଂ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ରସି ଭାନଡର ଡସେନ ଦ୍ଵିତୀୟରେ ଅଛନ୍ତି। ବୋଲିଂ ତାଲିକାରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଶୀର୍ଷରେ ରହିଥିବା ବେଳେ ଅଲରାଉଣ୍ଡର ତାଲିକାରେ ବାଂଲାଦେଶର ସାକିବ ଅଲ ହସନ ଏକ ନମ୍ବର ସ୍ଥାନରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.