ICC ପୁରୁଷ ଟେଷ୍ଟ ଟିମ୍ ଅଫ ଦ ଇୟର ଘୋଷିତ, ଜଣେ ଭାରତୀୟଙ୍କୁ ମିଳିଲା ସ୍ଥାନ
24/01/2023 at 6:45 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମଙ୍ଗଳବାର ପୁରୁଷ ଟେଷ୍ଟ ଟିମ୍ ଅଫ ଦ ଇୟର ଘୋଷଣା କରିଛି। ଗତ ବର୍ଷ କ୍ରିକେଟର ଲମ୍ବା ଫର୍ମାଟ୍ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ମିଳିଛି। ଆଇସିସିର ଟେଷ୍ଟ ଦଳରେ ଅଷ୍ଟ୍ରେଲିଆର ସର୍ବାଧିକ ୪ ଖେଳାଳିଙ୍କୁ ଅଛନ୍ତି। ଇଂଲଣ୍ଡର ତିନି ଖେଳାଳି ଥିବା ବେଳେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ଓ୍ଵେଷ୍ଟଇଣ୍ଡିଜରୁ ଜଣେ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି।
ବେନ ଷ୍ଟୋକ୍ସ ଅଧିନାୟକ
ଆଇସିସି ଟେଷ୍ଟ ଦଳର ଅଧିନାୟକ ଦାୟିତ୍ଵ ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଦିଆଯାଇଛି। ତାଙ୍କ ନେତୃତ୍ଵରେ ଇଂଲଣ୍ଡ ୨୦୨୨ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା। ଜୋ ରୁଟ୍ଙ୍କଠୁ ଅଧିନାୟକ ଭାର ମିଳିବା ପରେ ଇଂଲଣ୍ଡ ତାଙ୍କ ନେତୃତ୍ଵରେ ୯ଟି ମ୍ୟାଚ୍ ବିଜୟ ଲାଭ କରିଛି। ଷ୍ଟୋକ୍ସ ଉଭୟ ବ୍ୟାଟ୍ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରିଛନ୍ତି।
ଟେଷ୍ଟ ଦଳରେ ପନ୍ତ ଏକ ମାତ୍ର ଭାରତୀୟ
ଭାରତର ତାରକା କ୍ରିକେଟର ଋଷଭ ପନ୍ତଙ୍କୁ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଦଳରେ ଚୟନ କରାଯାଇଛି। ସେ ଗତ ବର୍ଷ ବ୍ୟାଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ପକ୍ଷରୁ ୨୦୨୨ରେ ସେ ୧୨ଟି ଇନିଂସରେ ୬୧.୮୧ ହାରରେ ଏବଂ ୯୦.୯୦ ଷ୍ଟ୍ରାଇକ୍ ରେଟ୍ରେ ମୋଟ୍ ୬୮୦ ରନ କରିଥିଲେ। ଏଥିରେ ଦୁଇ ଶତକ ଏବଂ ଚାରି ଅର୍ଦ୍ଧଶତକ ସାମିଲ୍। ଏଥିସହ ଓ୍ଵିକେଟ୍ ପଛରେ ୨୩ କ୍ୟାଚ୍ ନେଇଛନ୍ତି।
ଆଇସିସି ପୁରୁଷ ଟେଷ୍ଟ ଟିମ୍ ଅଫ ଦ ଇୟର ୨୦୨୨
ଉସମାନ ଖ୍ଵାଜା(ଅଷ୍ଟ୍ରେଲିଆ), କ୍ରେଗ୍ ବ୍ରେଥଓ୍ଵେଟ୍(ଓ୍ବେଷ୍ଟଇଣ୍ଡିଜ), ମାର୍ନସ ଲାବୁସେନ(ଅଷ୍ଟ୍ରେଲିଆ), ବାବର ଆଜମ(ପାକିସ୍ତାନ), ଜୋନି ବେୟାରଷ୍ଟୋ(ଇଂଲଣ୍ଡ), ଋଷଭ ପନ୍ତ(ଓ୍ଵିକେଟ୍ କିପର), ପାଟ୍ କମିନ୍ସ(ଅଷ୍ଟ୍ରେଲିଆ), କାଗିସୋ ରାବଡା(ଦକ୍ଷିଣ ଆଫ୍ରିକା) , ନାଥନ ଲିଓନ(ଅଷ୍ଟ୍ରେଲିଆ), ଜେମ୍ସ ଆଣ୍ଡରସନ(ଇଂଲଣ୍ଡ)।