ଆଇସିସିର କ୍ଷମତା ବାହାରେ ଭାରତ-ପାକିସ୍ତାନ ମ୍ୟାଚ୍, ବଡ ବୟାନ ଦେଲେ ନୂତନ ଅଧ୍ୟକ୍ଷ, କହିଲେ…

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦।୧୧: ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲାକୁ ସାରା ବିଶ୍ଵ ଚାହିଁ ବସିଥାନ୍ତି। ହେଲେ ଦୀର୍ଘ ବର୍ଷ ହେବ ଦୁଇ ଦଳ ମଧ୍ୟରେ କୌଣସି ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳାଯାଇ ନାହିଁ। କେବଳ ଆଇସିସି ଟୂର୍ଣ୍ଣାମେଣ୍ଟରେ ହିଁ ଏହି ଚିର  ପ୍ରତିଦ୍ଵନ୍ଦ୍ଵୀ ଦଳ ପରସ୍ପରର ମୁହାଁମୁହିଁ  ହୁଅନ୍ତି। ଦୁଇ ଦେଶ ମଧ୍ୟରେ ବିଗିଡିଥିବା କୂଟନୈତିକ ସଂପର୍କର ପ୍ରଭାବ ଖେଳ ଉପରେ ପଡିଛି। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାମୂଳକ ସ୍ଥିତି ଏବଂ ବୈଦେଶିକ ସଂପର୍କ ଦେଖି ଆଇସିସି ମଧ୍ୟ ଅସହାୟ ହୋଇ ପଡିଛି। ବର୍ତ୍ତମାନ ଆଇସିସିର ନୂତନ ସଭାପତି ମଧ୍ୟ ନିଜର ଭାବନାକୁ ବ୍ୟକ୍ତ କରିବାକୁ ନିଜକୁ ଅଟକାଇ ପାରି ନାହାନ୍ତି।

ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ପ୍ରମୁଖ ରହିଥିବା ଗ୍ରେଗ୍ ବାର୍କଲେ ଗତ ସପ୍ତାହରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦର ନୂତନ ସଭାପତି ଭାବେ ଚୟନ ହୋଇଛନ୍ତି। ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନ ନେଇଥିବା ଗ୍ରେଗ୍ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ନେଇ ସହମତି ପ୍ରକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦୀର୍ଘ ସମୟ ଧରି ବିସିସିଆଇ ଓ ପିସିବି ମଧ୍ୟରେ ଜାରି ବିବାଦକୁ ନିକଟରୁ ଦେଖିଥିବା ବାର୍କେଲେ ସ୍ପଷ୍ଟ କରିଛନ୍ତି, କିଛି ଜିନିଷ କ୍ରିକେଟ୍‌ଠୁ ମଧ୍ୟ ଉର୍ଦ୍ଧ୍ଵରେ ରହିଥାଏ।

ଆଇସିସିର ବିବଶତା

ଭାରତ-ପାକିସ୍ତାନ ସମ୍ବନ୍ଧ ଉପରେ ସେ କହିଛନ୍ତି, ଆମ ପାଖରେ ଯେତେ ଶକ୍ତି ଓ ଅଧିକାର ରହିଛି, ଆମ ତାଠୁ ମଧ୍ୟ ଅଧିକ ଉନ୍ନତ କରିବାକୁ ଚେଷ୍ଟା କରିବୁ। ମୋତେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲାଠୁ ଅଧିକ ଆନନ୍ଦ ଆଉ କୌଣସି ମ୍ୟାଚ୍‌ରେ ମିଳେ ନାହିଁ। ଅପରପକ୍ଷେ ଆଇସିସିର ନିଜ କ୍ଷମତାର ମଧ୍ୟ ପରିସୀମା ରହିଛି। ଏହି ସଂଗଠନ କେବଳ କ୍ରିକେଟ୍‌ ସଞ୍ଚାଳନ କରି ପାରିବ। ରାଜନୈତିକ ସମ୍ବନ୍ଧ ଭିନ୍ନ ଅଟେ, ଯାହାର ପ୍ରଭାବ କ୍ରୀଡା ଉପରେ ପଡିବାକୁ ଖଣ୍ଡନ କରାଯାଇ ପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ଭାରତ ସରକାର ଅନେକ ଥର ସ୍ପଷ୍ଟ ଭାବେ କହି ସାରିଛନ୍ତି ଯେ, ପାକିସ୍ତାନକୁ ଭାରତ ସହିତ କ୍ରିକେଟ୍ ସଂପର୍କ ପୁନଃସ୍ଥାପନ କରିବାକୁ ହେଲେ ପ୍ରଥମେ ସୀମାପାର ଆତଙ୍କବାଦ ଗତିବିଧି ରୋକିବାକୁ ପଡିବ। ଏମିତି କୌଣସି କାମ କରିବ ନାହିଁ ଯେଉଁଥିରେ ଭାରତର କ୍ଷତି ଘଟିବ। ଶେଷ ଥର ଦୁଇ ଦେଶ ୨୦୧୯ ବିଶ୍ଵକପରେ ମୁହାଁମୁହିଁ ହୋଇଥିଲେ। ଉକ୍ତ ମ୍ୟାଚ୍‌ରେ ଭାରତ ସହଜରେ ପାକିସ୍ତାନକୁ ପରାସ୍ତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.