ICC ଦିନିକିଆ ରାଙ୍କିଂ: ବିରାଟ କୋହଲି ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରୋହିତ ଶର୍ମା, ଟପ୍‌ ୫ରେ କ୍ବିଣ୍ଟନ୍ ଡି' କକ୍

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ ୨୬/୦୧: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭେଟେରାନ୍ ବ୍ୟାଟର୍‌ ବିରାଟ କୋହଲି ଦିନିକିଆ ରାଙ୍କିଂରେ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି । ଆଇସିସି ଜାରି କରିଥିବା ସଦ୍ୟ ତାଲିକାରେ କୋହଲି ପୂର୍ବଭଳି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍‌ ଶେଷ ହେବାପରେ ରାଙ୍କିଂ ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍(ICC)। ହାମଷ୍ଟ୍ରିଙ୍ଗ କାରଣରୁ ଆହତ ଥିବା ଭାରତୀୟ ଦଳର ନବ ନିଯୁକ୍ତ ଦିନିକିଆ ଅଧିନାୟକ ରୋହିତ ଶର୍ମା ଦିନିକିଆ ରାଙ୍କିଂର ତୃତୀୟ ସ୍ଥାନରେ ରହିଛନ୍ତି ।

ଆଇସିସି ଦ୍ବାରା ଜାରି କରାଯାଇଥିବା ଦିନିକିଆ ରାଙ୍କିଂର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୨ଜଣ ଭାରତୀୟ ରହିଛନ୍ତି । ଦିନିକିଆ ରାଙ୍କିଂର ପ୍ରଥମ ସ୍ଥାନରେ ପାକିସ୍ତାନ ଅଧିନାୟକ ବାବର ଆଜମ ଥିବା ବେଳେ ଦ୍ବିତୀୟ ସ୍ଥାନରେ କୋହଲି ତୃତୀୟ ସ୍ଥାନରେ ଯୁଗ୍ମ ଭାବେ ରୋହିତ ଶର୍ମା ଏବଂ ନ୍ୟୁଜିଲାଣ୍ଡର ରସ୍‌ ଟେଲର ରହିଛନ୍ତି । ସେହିଭଳି ଭାରତ ବିପକ୍ଷ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରିଥିବା କ୍ବିଣ୍ଟନ୍‌ ଡି' କକ୍‌ ୪ଟି ସ୍ଥାନ ଉପରକୁ ଉଠି ଟପ୍‌ ୫କୁ ​‌ରେ ରହିଛନ୍ତି । କଙ୍ଗାରୁ ଦଳର ଆରୋନ୍‌ ଫିଞ୍ଚ ୬ଷ୍ଠ ସ୍ଥାନରେ ଥିବା ବେଳେ, ଇଂଲଣ୍ଡର ଜନି ବୈୟାରିଷ୍ଟୋ ୭ମ, ଡେଭିଡ୍‌ ଓ୍ବାର୍ଣ୍ଣର ୮ମ, କେନ୍ ଓ୍ବିଲିୟମସନ୍‌ ୯ମ ଏବଂ ଦକ୍ଷିଣ ଆଫ୍ରିକାର ରାସେ ଭାନ୍‌ ଡର୍‌ ଡୁସେନ୍‌ ୧୦ଟି ସ୍ଥାନ ଉପରକୁ ଉଠି ୧୦ନମ୍ବରରେ ରହିଛନ୍ତି ।  

ବୋଲିଂ କଥା କହିବାକୁ ଗଲେ ଏକମାତ୍ର ଭାରତୀୟ ଭାବେ ଟପ୍‌ ୧୦ରେ ଅଛନ୍ତି ଜସପ୍ରୀତ ବୁମରାହ । ଆଇସିସି ଦିନିକିଆ ବୋଲର ରାଙ୍କିଂରେ ବୁମରାହ ୭ମ ସ୍ଥାନରେ ରହିଛନ୍ତି । ସେହିଭଳି ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟର ବୋଲିଂ ତାଲିକାରେ ଶୀର୍ଷରେ ରହିଛନ୍ତି ଶ୍ରୀଲଙ୍କାର ଓ୍ବାନିନ୍ଦୁ ହାସାରଙ୍ଗା ଥିବାବେଳେ ଟି ଟ୍ବେଣ୍ଟି ଅଲରାଉଣ୍ଡର ତାଲିକା ଶୀର୍ଷରେ ରହିଛନ୍ତି ଆଫଗାନିସ୍ତାନର ମହମ୍ମଦ ନବୀ । ତେବେ ବଡ କଥା ହେଉଛି ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ଜଣେ ହେଲେ ବି ଭାରତୀୟ ଖେଳାଳି ଟପ୍‌ ୧୦ରେ ନାହାନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.