ICCର ଐତିହାସିକ ଘୋଷଣା: ଉଭୟ ପୁରୁଷ ଓ ମହିଳା କ୍ରିକେଟର୍ଙ୍କୁ ମିଳିବ ସମାନ ପୁରସ୍କାର
13/07/2023 at 10:00 PM

ନୂଆଦିଲ୍ଲୀ: ଆଇସିସିର ବଡ଼ ଘୋଷଣା। ପୁରୁଷ କ୍ରିକେଟରଙ୍କ ପରି ମହିଳା କ୍ରିକେଟର୍ଙ୍କୁ ମିଳିବ ସମାନ ପୁରସ୍କାର ରାଶି। ଡର୍ବାନରେ ଚାଲିଥିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଆଇସିସି ବାର୍ଷିକ ସମ୍ମିଳନୀରେ ମହିଳା ଏବଂ ପୁରୁଷ ଆଇସିସି ଇଭେଣ୍ଟକୁ ନେଇ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।
ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଯେତିକି ପୁରସ୍କାର ରାଶି ମିଳିବ ମହିଳା ଇଭେଣ୍ଟର ମଧ୍ୟ ସମାନ ପୁରସ୍କାର ରାଶି ଦିଆଯିବ। ମହିଳା କ୍ରିକେଟ୍କୁ ଆହୁରି ପ୍ରୋତ୍ସାହନ ସହ ଅଗ୍ରଗତି ପାଇଁ ଆଇସିସି ଏହି ବଡ଼ ନିଷ୍ପତ୍ତି ନେଇଛି। ଆଇସିସିର ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି ଆଇସିସି ସେକ୍ରେଟେରୀ ଜୟ ଶାହ।
ଆଇସିସି ଇଭେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଷଙ୍କ ତୁଳନାରେ ମହିଳା କ୍ରିକେଟରମାନେ ସମାନ ପୁରସ୍କାର ରାଶି ପାଉ ନଥିଲେ। ହେଲେ ଏବେ ବର୍ଷ ୨୦୩୦ରେ ସବୁ ସମାନ ହୋଯିବ। ଦିନିକିଆ, ଟି-୨୦ ଏବଂ ଅନ୍ୟାନ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁରୁଷ ଓ ମହିଳା ସମାନ ପୁରସ୍କାର ରାଶି ପାଇବେ।

ଏନେଇ ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କଲେ କହିଛନ୍ତି ଯେ ଏହା ଆମ ପାଇଁ ଏକ ବଡ ଐତିହାସିକ ନିଷ୍ପତ୍ତି। ମୁଁ ଖୁସି ଯେ ବର୍ତ୍ତମାନ ପୁରୁଷ ଏବଂ ମହିଳା ଖେଳାଳିମାନେ ଆଇସିସି ଇଭେଣ୍ଟରେ ସମାନ ପୁରସ୍କାର ରାଶି ପାଇବେ। ୨୦୧୭ ଠାରୁ, ଆମେ ସମାନ ପୁରସ୍କାର ରାଶିରେ ପହଞ୍ଚିବା ଉପରେ ଏକ ସ୍ପଷ୍ଟ ଧ୍ୟାନ ଦେଇ ପ୍ରତିବର୍ଷ ମହିଳା ଇଭେଣ୍ଟରେ ପୁରସ୍କାର ରାଶି ବୃଦ୍ଧି କରିଛୁ ବୋଲି ବାର୍କଲେ କହିଛନ୍ତି।
ଆଇସିସିର ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ବିସିସିଆଇ ସେକ୍ରେଟେରୀ ଜୟ ଶାହା ଟ୍ୱିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ଏହି ନିଷ୍ପତ୍ତିରେ ବହୁତ ଖୁସି, ବର୍ତ୍ତମାନ ପୁରୁଷ ଓ ମହିଳା ଦଳ ମଧ୍ୟରେ ଭେଦଭାବ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ଉଭୟ ଦଳ ବର୍ତ୍ତମାନ ଏକାଠି ହୋଇ ଆଗକୁ ବଢିବାକୁ ସମର୍ଥ ହେବେ। ଏହି ନିଷ୍ପତ୍ତି ସମ୍ପର୍କରେ ମୁଁ ବୋର୍ଡରେ ଜଡିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ବୋଲି ଜୟ ଶାହ ଟ୍ୱିଟ୍ କରିଛନ୍ତି।