ନୂଆଦିଲ୍ଲୀ ୨୩।୧୨: ଭାରତୀୟ କ୍ରିକେଟ୍ ସଂଘ(ଆଇସିଏ) ଭାରତୀୟ କ୍ରିକେଟ୍ ବୋର୍ଡ(ବସିସିଆଇ)ର ବାର୍ଷିକ ବୈଠକର ଗୋଟିଏ ଦିନ ପୂର୍ବରୁ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ଆଇପିଏଲ ସଞ୍ଚାଳନ ପରିଷଦ ପାଇଁ ନିଜର ପ୍ରତିନିଧି ଭାବେ ଚୟନ କରିଛି। ବିସିସିଆଇର ୮୯ତମ ସାଧାରଣ ବୈଠକ ଗୁରୁବାର ଅହମ୍ମଦାବାଦରେ ହେଉଛି।
ଏହା ପୂର୍ବରୁ ପୂର୍ବତନ ଭାରତୀୟ ଖେଳାଳି ସୁରିନ୍ଦର ଖନ୍ନା ସଂଘର ପ୍ରତିନିଧିତ୍ଵ କରୁଥିଲେ। ବିସିସିଆଇ ସମ୍ବିଧାନ ଅନୁଯାୟୀ ଆଇସିଏକୁ ପ୍ରତ୍ୟେକ ବର୍ଷ ଆଇପିଏଲ ସଞ୍ଚାଳନ ପରିଷଦ(ଜିସି)ରେ ନିଜର ଏକ ସଦସ୍ୟକୁ ପଠାଇବା ଜରୁରୀ। ଆଇସିଏ ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି, ଆଇସିଏ ନିର୍ଦ୍ଦେଶକ ଓଝାଙ୍କୁ ଆଇପିଏଲ ସଞ୍ଚାଳନ ପରିଷଦ ପାଇଁ ଚୟନ କରିଛି। ସୁରିନ୍ଦର ଖନ୍ନା ବହୁତ ଭଲ କାମ କରିଛନ୍ତି ଏବଂ ଆମକୁ ପ୍ରତ୍ୟେକଙ୍କୁ ସୁଯୋଗ ଦେବା ଉଚିତ୍।
ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଚଳିତ ବର୍ଷ ଫେବୃଆରୀରେ ଅନ୍ତରାଷ୍ଟ୍ରୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟ୍ରୁ ଅବସର ନେଇଥିଲେ। ଆଇସିଏର ନିର୍ଦ୍ଦେଶକଙ୍କ ବୋର୍ଡ ଡିସେମ୍ବର ୧୯ରେ ନିଜର ସାଧାରଣ ବାର୍ଷିକ ବୈଠକରେ ଏହି ନିଷ୍ପତ୍ତି ନେଇଥିଲେ ଏବଂ ଏହି ସମ୍ବନ୍ଧରେ ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।
ଆଇସିଏ ବିଜ୍ଞପ୍ତିରେ କହିଛି ଯେ, ଆଇସିଏ ବୋର୍ଡ ଜନସ୍ଵାର୍ଥ ମାମଲାର କୌଣସି ସମ୍ଭାବିତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ବିଚାର ବିମର୍ଶ ପରେ ଓଝାଙ୍କ ପରି ଯୋଗ୍ୟ ବ୍ୟକ୍ତିଙ୍କୁ ନିଜର ପ୍ରତିନିଧି ଭାବେ ଚୟନ କରିଛି। ଓଝାଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ପାଇଁ ରହିବ। ବିସିସିଆଇର ଏହି ବୈଠକରେ ଟି-୨୦ ବିଶ୍ଵ କପ୍ରେ ଟିକସରେ ରିହାତି, ନୂତନ ଆଇପିଏଲ ଟିମ୍, ବିଭିନ୍ନ କ୍ରିକେଟ୍ କମିଟି ଗଠନ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ।