ନୂଆଦିଲ୍ଲୀ: ୱେବ୍ ସିରିଜ IC 814 ଦ କାନ୍ଧାର ହାଇଜ୍ୟାକକୁ ନେଇ ଜାରି ବିବାଦ ଭିତରେ ନେଟ୍ଫ୍ଲିକ୍ସ ପକ୍ଷରୁ ବୟାନ ଆସିଛି । ୱେବ୍ ସିରିଜରେ ହାଇଜ୍ୟାକରଙ୍କ ପ୍ରକୃତ ନାଁ ଏବଂ କୋଡ୍ ନାଁ ଉଭୟକୁ ଶୋ’ ଡିସକ୍ଲେମରରେ ଅପଡେଟ୍ କରାଯିବ । ଅନୁଭବ ସିହ୍ନାଙ୍କ ୱେବ୍ ସିରିଜ IC 814 ଦ କାନ୍ଧାର ହାଇଜ୍ୟାକ ଅଗଷ୍ଟ ୨୯ରେ ନେଟ୍ଫ୍ଲିକ୍ସରେ ପ୍ରିମିୟର ହୋଇଥିଲା । ସେବେଠାରୁ ଏହାକୁ ନେଇ ସୋସିଆଲ୍ ମିଡିଆରେ ଆକ୍ରୋଶ ଦେଖିବାକୁ ମିଳୁଛି । ଏହି ସିରିଜରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ IC 814ର ହାଇଜ୍ୟାକ କାହାଣୀକୁ ଦର୍ଶାଯାଇଛି । ୧୯୯୯, ଡିସେମ୍ୱର ୨୪ରେ ଏହି ବିମାନ ହାଇଜ୍ୟାକ୍ ହୋଇଥିଲା । ସୋସିଆଲ୍ ମିଡିଆରେ ଏହି ୱେବ୍ ସିରିଜକୁ ନେଇ ଗୋଟିଏ ବର୍ଗ ସମାଲୋଚନା କରିଥିଲା । ୱେବ୍ ସିରିଜରେ ହାଇଜ୍ୟାକର୍ସଙ୍କୁ ନାଁ ବଦଳାଇ ହିନ୍ଦୁ ଦର୍ଶାଯାଉଥିବା ଅଭିଯୋଗ ହୋଇଥିଲା ।
ୱେବ୍ ସିରିଜରେ ଆତଙ୍କୀଙ୍କ ନାଁ ଭୋଲା ଏବଂ ଶଙ୍କର ରଖାଯିବା ଉପରେ ବିବାଦ ବଢିବା ପରେ କେନ୍ଦ୍ର ସରକାର ନେଟ୍ଫ୍ଲିକ୍ସକୁ ସମନ ଜାରି କରିଥିଲେ । ମଙ୍ଗଳବାର ନେଟ୍ଫ୍ଲିକ୍ସର ଭାରତ କଣ୍ଟେଣ୍ଟ ମୁଖ୍ୟ ସୋନିକା ସେରଗିଲ ମନ୍ତ୍ରଣାଳୟର ଅଧିକାରୀଙ୍କ ସାମନାରେ ହାଜର ହୋଇଥିଲେ ।
ସରକାରଙ୍କ ସହ ବୈଠକ ପରେ ନେଟ୍ଫ୍ଲିକ୍ସ ବଡ଼ ନିଷ୍ପତ୍ତି ନେଇଛି । ନେଟଫ୍ଲିକ୍ସ ଇଣ୍ଡିଆ IC 814 ଦ କାନ୍ଧାର ହାଇଜ୍ୟାକରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି । ନେଟ୍ଫ୍ଲିକ୍ସ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀଙ୍କ କୋଡ୍ ନାଁକୁ ନେଇ ଜାରି ବିବାଦ ଯୋଗୁଁ ଏବେ ସିରିଜ୍ ଆରମ୍ଭରେ ଡିସକ୍ଲେମର ଦିଆଯିବ । ନେଟ୍ଫ୍ଲିକ୍ସ ପକ୍ଷରୁ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ କରିଥିଲା ଯେ ସିରିଜରେ ଆପତ୍ତିଜନକ ଅଂଶକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଅଛି । ଏହାସହ ଭବିଷ୍ୟତରେ ଯାହା ବି ୱେବ୍ ସିରିଜ ଏବଂ ଫିଲ୍ମ ଆସିବ, ସେଥିରେ ଲୋକଙ୍କ ଭାବନାକୁ ଧ୍ୟାନ ଦିଆଯିବ ।