ନୂଆଦିଲ୍ଲୀ: IC-814: ଦ କାନ୍ଧାର ହାଇଜ୍ୟାକ୍ ୱେବ୍ ସିରିଜକୁ ଜାରି ବିବାଦରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନେଟ୍ଫ୍ଲିକ୍ସ ଇଣ୍ଡିଆର କଣ୍ଟେଣ୍ଟ ହେଡ୍ଙ୍କୁ ନୋଟିସ୍ ଜାରି କରିଛି । ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରକୁ ଆଧାର କରି କହିଛି ଯେ ପ୍ଲାଟ୍ଫର୍ମର ଇଣ୍ଡିଆ କଣ୍ଟେଣ୍ଟ ମୁଖ୍ୟ ସୋନିକା ସେର୍ଗିଲ୍ଙ୍କୁ ମଙ୍ଗଳବାର ହାଜର ହେବା ପାଇଁ କୁହାଯାଇଛି । ଅନୁଭବ ସିହ୍ନାଙ୍କ ୱେବ ସିରିଜ୍ IC-814: ଦ କାନ୍ଧାର ହାଇଜ୍ୟାକରେ ହାଇଜ୍ୟାକରଙ୍କ ନାଁ ଭୋଲା ଏବଂ ଶଙ୍କର ରଖାଯିବାକୁ ନେଇ ଏହା ବିବାଦରେ ରହିଛି ।
IC-814: ଦ କାନ୍ଧାର ହାଇଜ୍ୟାକ୍ ୱେବ୍ ସିରିଜ ଅଗଷ୍ଟ ୨୯ରେ ନେଟ୍ଫିଲ୍ସରେ ରିଲିଜ୍ ହୋଇଥିଲା । ରିଲିଜ୍ ପରଠୁ ସୋସିଆଲ୍ ମିଡିଆରେ ଏହାକୁ ନେଇ ବିବାଦ ଜାରି ରହିଛି । ଅଭିଯୋଗ ଅନୁସାରେ ଏହା ନିର୍ମାତା ଜାଣିଶୁଣି ଆତଙ୍କୀଙ୍କ ନାଁ ଭୋଲା ଏବଂ ଶଙ୍କର ରଖିଛନ୍ତି । ଏହି ସିରିଜ୍ ୧୯୯୯ରେ ହୋଇଥିବା କାନ୍ଧାର ପ୍ଲେନ୍ ହାଇଜ୍ୟାକ୍ ଉପରେ ଆଧାରିତ ।
ଏହି ୱେବ୍ ସିରିଜକୁ ଅନୁଭବ ସିହ୍ନା ନିର୍ଦ୍ଦେଶନା ଦେଇଛନ୍ତି । ପ୍ରୋଡକ୍ସନ ହାଉସ୍ ମ୍ୟାଚବକ୍ସ ସଟ୍ସ ବନାରସ ମିଡିଆ ୱାର୍ସ ସହ ମିଶି ଏହି ୱେବ୍ ସିରିଜ ନିର୍ମାଣ କରିଛି । ଏହି ସିରିଜ୍ ହାଇଜ୍ୟାକ୍ ବେଳେ ପ୍ଲେନ୍ର ପାଇଲଟ୍ ଥିବା ଦେବୀ ଶରଣ ଏବଂ ସାମ୍ୱାଦିକ ଶ୍ରୀଜୟ ଚୌଧୁରୀଙ୍କ ପୁସ୍ତକ ଫ୍ଲାଇଟ୍ ଇଣ୍ଟୁ ଫୟର: ଦ କ୍ୟାପ୍ଟେନ୍ସ ଷ୍ଟୋରିରୁ ପ୍ରେରିତ । ସମୀକ୍ଷକମାନେ ଏହି ୱେବ୍ ସିରିଜକୁ ଖୁବ ପ୍ରଶଂସା କରିଛନ୍ତି । କିନ୍ତୁ ନାଁକୁ ନେଇ ୱେବ୍ ସିରିଜ ବିବାଦକୁ ଆସିଛି ।
୧୯୯୯ରେ ନେପାଳରୁ ଉଡାଣ ଭରିଥିବା ଭାରତୀୟ ପ୍ଲେନ୍କୁ ପାଞ୍ଚ ଜଣ ଆତଙ୍କବାଦୀ ହାଇଜ୍ୟାକ୍ କରିଥିଲେ । ହାଇଜ୍ୟାକିଂ ବେଳେ ପରସ୍ପର ସହ କୋଡ୍ ନାଁରେ କଥାବର୍ତ୍ତା କରୁଥିଲେ । ଏହି ହାଇଜ୍ୟାକିଂ ଉପରେ ପ୍ରଥମ ପୁସ୍ତକ ଲେଖିଥିବା ନୀଲେଶ ମିଶ୍ରା ମଧ୍ୟ କହିଛନ୍ତି ଯେ ଆତଙ୍କୀମାନେ ହାଇଜ୍ୟାକିଂ ବେଳେ ନିଜର ପ୍ରକୃତ ନାଁରୁ ଲୁଚାଇଥିଲେ । ସେମାନେ ନିଜ ନାଁ ଭୋଲା, ଶଙ୍କର, ବର୍ଗର, ଡକ୍ଟର ଏବଂ ଚିଫ୍ ରଖିଥିଲେ । ଯାତ୍ରୀମାନେ ବି ଆତଙ୍କୀଙ୍କୁ ସେହି ସମୟରେ ଏହି ନାଁରେ ଡାକୁଥିଲେ ।
ତେବେ ଆତଙ୍କୀଙ୍କ ପ୍ରକୃତ ନାଁ କିଛି ଅଲଗା ଥିଲା । ରିପୋର୍ଟ ଅନୁସାରେ ଏହି ଆତଙ୍କୀମାନଙ୍କ ନାଁ ଇବ୍ରାହିମ୍ ଅତହର, ସନି ଅହମଦ କାଜି, ଜହୁର ଇବ୍ରାହିମ, ସାହିଦ ଅଖତର ଏବଂ ସୈୟଦ ସାକିର ଥିଲା । ଅଭିଯୋଗ ଏହା ଯେ ଏହି ୱେବ୍ ସିରିଜରେ ହାଇଜ୍ୟାକରଙ୍କ ପ୍ରକୃତ ନାଁ ଉଲ୍ଲେଖ କରାଯାଇ ନାହିଁ । ଯେଉଁଥି ପାଇଁ ଦର୍ଶକ ଅନୁଭବ ସିହ୍ନା ଏବଂ ନେଟଫ୍ଲିକ୍ସ ଉପରେ ଅସନ୍ତୁଷ୍ଟ ଝାଡ଼ୁଛନ୍ତି ।