IAS ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଅଗ୍ରାହ୍ୟ କଲେ ମୋହନ ସରକାର, ବୁଧବାରଠୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | November 26, 2024 IST

ଭୁବନେଶ୍ଵର: ବିଜୁ ଜନତା ଦଳ ସରକାରରେ ବହୁ ପ୍ରଭାବଶାଳୀ ଥିବା IAS ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଅଗ୍ରାହ୍ୟ କରିଛନ୍ତି ରାଜ୍ୟର ମୋହନ ମାଝୀ ସରକାର। ଆଉ ୬ ମାସ ଛୁଟି ଦେବାକୁ ଆବେଦନ କରିଥିଲେ ସୁଜାତା। କିନ୍ତୁ କାଲିଠାରୁ ଚାକିରିରେ ଯୋଗ ଦେବାକୁ ସୁଜାତାଙ୍କୁ ପରାମର୍ଶ ଦେଇଛନ୍ତି ମୋହନ ମାଝୀ ସରକାର। ବିଜୁ ଜନତା ଦଳ ନିର୍ବାଚନ ହାରିବା ପରେ ଚଳିତ ବର୍ଷ ମେ ୩୧ରୁ ୬ ମାସ ଛୁଟିରେ ଯାଇଥିଲେ ସୁଜାତା। 

ଉଲ୍ଲେଖନୀୟ ପୂର୍ବତନ ଆଇଏଏସ ତଥା ବିଜେଡି ନେତା ରହିଥିବା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ ହେଉଛନ୍ତି ଆଇଏଏସ ସୁଜାତା କାର୍ତ୍ତିକେୟନ। ସେ ଚାଇଲ୍ଡ କେୟାର ଲିଭରେ ଛଅ ମାସ ଛୁଟିରେ ଥିଲେ। ପୁଣି ଆଉ ୬ ମାସ ଛୁଟି ଦେବାକୁ ସେ ସାଧାରଣ ପ୍ରଶାସନ ବିଭାଗରେ ଆବେଦନ କରିଥିଲେ, ଯାହାକୁ ରାଜ୍ୟ ସରକାର ଅଗ୍ରାହ୍ୟ କରି ଦେଇଛନ୍ତି। ସୁଜାତା କାର୍ତ୍ତିକେୟନ ବିଜେଡି ସରକାର ଅମଳରେ ମିଶନ ଶକ୍ତିର ସଚିବ ଥିଲେ। ତୃତୀୟ ମହଲାର ସେ ବେଶ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ ଥିଲେ। 

ବିଜେଡି ସରକାରର ପ୍ରଶାସନରେ ସୁଜାତାଙ୍କ ବେଶ ଦବଦବା ରହିଥିଲା। କିନ୍ତୁ ଚଳିତ ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ନିଜ ପଦର ଦୁରୁପଯୋଗକରି ମିଶନ ଶକ୍ତି ଜରିଆରେ ମହିଳା ଭୋଟରଙ୍କୁ ବିଜେଡିରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ନିର୍ବାଚନ କମିଶନଙ୍କ ଛାଟ ତାଙ୍କ ଉପରେ ପଡିଥିଲା। ଆଉ ତାଙ୍କୁ ମିଶନ୍ତ ଶକ୍ତି ବିଭାଗରୁ ବଦଳି କରି ଦିଆ ଯାଇଥିଲା। 

ଏହା ପରେ ନିର୍ବାଚନରେ ବିଜେଡିର ପରାଜୟ ହେବା ଏବଂ ବିଜେପି ସରକାରକୁ ଆସିବା ପରେ ସୁଜାତା ତୁରନ୍ତ ଛଅ ମାସ ଛୁଟିରେ ଯିବାକୁ ଜୁନ ୬ ତାରିଖରେ ଆବେଦନ କରିଥିଲେ। ପିଲାଙ୍କ ଯତ୍ନ ପାଇଁ ସେ ଛୁଟି ଚାହୁଁଥିବା ଆବେଦନରେ ଦର୍ଶାଇଥିଲେ। ପିଛିଲା ଭାବେ ମେ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ତାଙ୍କ ଛୁଟିକୁ ମଞ୍ଜୁରୀ ଦେଇଥିଲେ ତତ୍କାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା। ଆଉ ଆଜି ସୁଜାତାଙ୍କ ଛଅ ମାସର ଛୁଟି ଅବଧି ପୂରା ହୋଇଛି। ପୁଣି ଆଉ ଛଅ ମାସ ଛୁଟି ଦେବାକୁ ସେ ସାଧାରଣ ପ୍ରଶାସନ ବିଭାଗରେ ଆବେଦନ କରିଥିଲେ, ଯାହାକୁ ଖାରଜ କରି ଦିଆଯାଇଛି। ଆସନ୍ତାକାଲିଠୁ ଅର୍ଥାତ ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତାକାଲି ସୁଜାତା କାର୍ଯ୍ୟରେ ଯୋଗ ଦେବେ କି ନାହିଁ ତାହା ଜଣା ପଡିନି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.