ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ବିଭାଗ ଅତିରିକ୍ତ ଦାୟିତ୍ୱ

Published By : Prameya-News7 Bureau | September 14, 2022 IST

ଭୁବନେଶ୍ୱର, ୧୪/୦୯: ବରିଷ୍ଠ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ବା ଶକ୍ତି ବିଭାଗର ସଚିବ ବରିଷ୍ଠ ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ଧଳଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ସହ, ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଏବଂ ଗ୍ରୀଡ୍‌କୋର ଚେୟାରମ୍ୟାନ୍‌ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ଶ୍ରୀ ଧଳ କାର୍ଯ୍ୟରେ ଯୋଗଦେବା ପରେ ଅବକାରୀ ବିଭାଗର ଅତରିକ୍ତ ଦାୟିତ୍ୱ ସମ୍ଭାଳୁଥିବା ଆଇଏଏସ୍‌ ଅଧିକାରୀ ଦେଓ ରଞ୍ଜନ କୁମାର ସିଂହ ଏହି ପଦରୁ ହଟିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସେହିପରି ୧୯୯୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିବା ୧୯୯୮ ବ୍ୟାଚ୍ ଆଇଏଏସ୍ ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ପଦରୁ ହଟାଇ ଦିଆଯାଇଛି । ସେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ । ସେ ଅତିରିକ୍ତ ଭାବେ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଦାୟିତ୍ୱ ତୁଲାଇବେ । ତାଙ୍କ ସ୍ଥାନରେ ୧୯୯୯ ବ୍ୟାଚ୍ ଆଇଏଏସ୍ ଶୁଭା ଶର୍ମା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ ।

ସେହିପରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେ ପୂର୍ବଭଳି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ(ପ୍ରୋଟୋକଲ)ର ଅତିିରକ୍ତ ଦାୟିତ୍ୱ ତୁଲାଇବେ । ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଆଇଆରଟିଏସ୍ ଅଫିସର ସଞ୍ଜୟ କୁମାର ମିଶ୍ରଙ୍କୁ ଅତିରିକ୍ତ ଭାବେ ଓପିଟିସିଏଲ୍ ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଏନଏଚଏମ୍ ନିର୍ଦ୍ଦେଶିକା ତଥା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ୨୦୧୦ ବ୍ୟାଚ୍ ଆଇଏଏସ୍ ଡଃ ବୃନ୍ଦା ଡିଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ)ର ମିଶନ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ଓଡ଼ିଶା ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଓ ଖାଦ୍ୟ ନିରାପତ୍ତା କମିଶନର ଭାବେ କାର୍ଯ୍ୟ କରିବେ । ୨୦୦୮ ବ୍ୟାଚ୍ ଆଇଏଏସ୍ ଗୁହା ପୁନମ ତାପସ କୁମାରଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ଓରମାସ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.