ଟୁଇଟ୍ରରେ ତବଲିଗି ଜମାତଙ୍କ ଗୁଣଗାନ କଲେ ଆଇଏଏସ ଅଫିସର, ନୋଟିସ୍ ଧରାଇ ଦେଲେ ସରକାର
2/05/2020 at 4:28 PM

ବେଙ୍ଗାଲୁରୁ ୦୨।୦୫: କର୍ଣ୍ଣାଟକ ସରକାର ବରିଷ୍ଠ ଆଇଏଏସ ଅଧିକାରୀ ମହମ୍ମଦ ମୋହସିନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ମୋହସିନ କରୋନା ମୁକ୍ତ ହୋଇଥିବା ତବଲିଗି ଜମାତଙ୍କ ପ୍ଲାଜମା ଦାନ ଉପରେ ଟିପ୍ପଣୀ କରିଥିଲେ। ମୋହସିନ ଗତ ବର୍ଷ ସେହି ସମୟରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ଯେବେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ନିର୍ବାଚନ ଆୟୋଗ ତାଙ୍କୁ ନିଲମ୍ବିତ କରିଥିଲେ।
ମୋହସିନ ଏପ୍ରିଲ ୨୭ରେ ଟୁଇଟ୍ କରିଥିଲେ ଯେ, ୩୦୦ରୁ ଅଧିକ ତବଲିଗି ହିରୋ ଦିଲ୍ଲୀରେ ନିଜର ପ୍ଲାଜମା ଦେଶ ପାଇଁ ଦାନ କରିଛନ୍ତି। କାହା ପାଇଁ ? ଗୋଦି ମିଡିଆ ଏହି ହିରୋଙ୍କ ମାନବତା ପାଇଁ କରାଯାଉଥିବା କାମକୁ ଦେଖାଇବ ନାହିଁ। ୧୯୯୬ ବ୍ୟାଚର ଆଇଏଏସ ଅଧିକାରୀ ମୋହସିନଙ୍କ ଏହି ଟୁଇଟ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ଲୋକେ କହିଛନ୍ତି ଯେ, ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହି ଧରଣର ଟୁଇଟ୍ କରିବା ଉଚିତ୍ ନୁହେଁ।
ମୋହସିନ କର୍ଣ୍ଣାଟକ କ୍ୟାଡରର ଆଇଏଏସ ଅଧିକାରୀ ଏବଂ ମୂଳତଃ ସେ ବିହାରର ବାସିନ୍ଦା। କର୍ଣ୍ଣାଟକ ସରକାର କହିଛନ୍ତି ତାଙ୍କ ଟୁଇଟ୍କୁ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ନୋଟିସ୍ରେ ସରକାର କହିଛନ୍ତି ଏହି ଟୁଇଟ୍କୁ ସାମାଜିକ ଗଣମାଧ୍ୟମରେ ମିଳିଥିବା ପ୍ରତିକ୍ରିୟାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। କୋଭିଡ୍-୧୯ ଏକ ଗମ୍ଭୀର ମାମଲା ଏବଂ ଏହାର ମୁକାବିଲା ପାଇଁ ସମ୍ବେଦନଶୀଳତା ବହୁତ ଜରୁରୀ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସରକାର ସ୍ପଷ୍ଟ କରିଛନ୍ତି ଯେ, ଶକ୍ତିଶାଳୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସେ ସଙ୍କୋଚ କରିବେ ନାହିଁ। ଉଲ୍ଲେଖଯୋଗ୍ୟ, ତବଲିଗି ଜମାତ ସରକାରଙ୍କ ନିର୍ଦ୍ଦେଶ ଏବଂ ଗାଇଡ୍ ଲାଇନ୍ ପରେ ମଧ୍ୟ ଦକ୍ଷିଣ ଦିଲ୍ଲୀର ନିଜାମୁଦ୍ଦିନର ମରକଜରେ ଧାର୍ମିକ ସମାରୋହ ଆୟୋଜନ ହୋଇଥିଲା। ଏଥିରେ ସାମିଲ ଲୋକ କରୋନା ପଜିଟିଭ୍ ଚିହ୍ନଟ ହେଲେ। ପରେ ଦେଶର ଅନେକ ରାଜ୍ୟରେ ତବଲିଗି ଜମାତିଙ୍କ ସଂସ୍ପର୍ଶରେ ଆସିବାରୁ କରୋନା ସଂକ୍ରମଣ ଅହେତୁକ ବଢିଥିଲା।