ଇନଷ୍ଟାଗ୍ରାମରେ ଆତ୍ମ ପ୍ରଚାର IAS ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା, ଗୁଜରାଟ ନିର୍ବାଚନ ଦାୟିତ୍ୱରୁ ହଟାଇଲେ ଆୟୋଗ

Published By : Prameya-News7 Bureau | November 18, 2022 IST

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଜୋର ଲଗାଇଛନ୍ତି । ଅନ୍ୟପଟେ ନିର୍ବାଚନ ଆୟୋଗ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ଭିତରେ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଆଇଏଏସ ଅଧିକାରୀଙ୍କୁ ସୋସିଆଲ ମିଡିଆରେ ଆତ୍ମ-ପ୍ରଚାର କରିବା ଭାରି ପଡିଛି । ନିର୍ବାଚନ ଆୟୋଗ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇଛନ୍ତି । ନିର୍ବାଚନ ଆୟୋଗ ଫଟୋ ସେୟାର କରିବାକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୟୁପି କ୍ୟାଡର ଆଇଏଏସ ଅଧିକାରୀ ଅଭିଷେକ ସିଂଙ୍କୁ ଗୁଜରାଟ ନିର୍ବାଚନରେ ଅହମଦାବାଦର ବାପୁନଗର ଏବଂ ଅସରଭା ବିଧାନସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିଲା । ଦାୟିତ୍ୱ ମିଳିବା ପରେ ସେ ଇନଷ୍ଟାଗ୍ରାମରେ ନିଜ ନିଯୁକ୍ତିକୁ ବଡ଼ କରି ଦେଖାଇବା ଆରମ୍ଭ କରିଥିଲେ । ନିର୍ବାଚନ ଆୟୋଗଙ୍କ ନିକଟରେ ତାଙ୍କର ଅନେକ ପୋଷ୍ଟ ସହ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ଆୟୋଗ ଅଭିଷେକଙ୍କୁ ତୁରନ୍ତ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ମୁକ୍ତ କରିଛନ୍ତି । ଏହାସହ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କୁ କୌଣସି ନିର୍ବାଚନ ଦାୟିତ୍ୱରେ ନିଯୁକ୍ତ ନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଇଏଏସ ଅଧିକାରୀ ଅଭିଷେକ ସିଂ ସୋସିଆଲ ମିଡିଆରେ ବେଶ ସକ୍ରିୟ ରୁହନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ତିନି ମିଲିୟନ ଫୋଲଅର୍ସ ଅଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.