ଭୁବନେଶ୍ବର ୨୯|୬: ସରକାର କା ମାଲ୍ ଦରିଆ ମେ ଡାଲ ନୀତିରେ ନିଜ ସରକାରୀ ବାସଭବନ ଓ ଅଫିସ ମରାମତି ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାରୀ ବାବୁ । ଗଲା ୫ବର୍ଷରେ ବିଭିନ୍ନ ଜିଲ୍ଲାର ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ଘର ମରାମତି ପାଇଁ ସରକାରୀ ତହବିଲରୁ ଯେମିତି ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି ଆପଣ ଜାଣିଲେ ତାଜୁବ୍ ହୋଇଯିବେ ।
{"id":128640}ପଦାକୁ ଆସିଛି ବାବୁଙ୍କ ବେଲଗାମ୍ ଖର୍ଚ୍ଚର ସାଂଘାତିକ୍ ତଥ୍ୟ । ବିଭିନ୍ନ ଜିଲ୍ଲାରେ IAS ଏବଂ IPS ଅଫିସରଙ୍କ ବାସଭବନ ମରାମତି ନାଁରେ ସରକାରୀ ତହବିଲ୍ରୁ ପାଣି ଭଳି ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଏଭଳି ବେପରୁଆ ଖର୍ଚ୍ଚରେ ସମସ୍ତଙ୍କୁ ଟପିଯାଇଛନ୍ତି ବର୍ତମାନର ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ବରିଷ୍ଠ ଆଇଏଏସ୍ ରଶ୍ମିତା ପଣ୍ଡା । ମାଡାମ୍ ଆରଡିଏ ବା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଥିବା ସମୟରେ ନିଜ ସରକାରୀ ବାସଭବନର ମରାମତି ପାଇଁ ମାତ୍ର ୬ମାସ ଭିତରେ ଖର୍ଚ୍ଚ କରିଛନ୍ତି ୬୮ଲକ୍ଷ ୫୭ହଜାର ୯୫୦ଟଙ୍କା । ଆପଣ ଶୁଣିଲେ ଆଶ୍ଚର୍ଯ ହେବେ ସରକାରୀ ବାସଭବନର ଝରକାରେ ମଶା ଜାଲି ଲଗାଇବାରେ ଖର୍ଚ୍ଚ କରାଯାଇଛି ୪ଲକ୍ଷ ୪ହଜାର ୪୭୧ ଟଙ୍କା । ଟଏଲେଟ୍ ଓ ଘରକୁ ଜଳ ଯୋଗାଣ ପାଇଁ ଖର୍ଚ୍ଚ କରାଯାଇଛି ୪ଲକ୍ଷ ୩୯ହଜାର ୨୯ଟଙ୍କା । ସରକାରୀ ବାସଭବନରେ ଅତିରିକ୍ତ ଡାଇନିଂ ରୁମ୍ ପାଇଁ ଖର୍ଚ୍ଚ କରାଯାଇଛି ୪ଲକ୍ଷ ୫ହଜାର ଟଙ୍କା । ଘର ଚାରିପଟେ ଥିବା ପାଚେରୀର ଉଚ୍ଚତା ବଢ଼ାଇବା ସହ ମରାମତି ଓ ପୁରୁଦ୍ଧାରର କାମ ପାଇଁ ଖର୍ଚ୍ଚ କରାଯାଇଛି ପ୍ରାୟ ୮ଲକ୍ଷ ଟଙ୍କା । ଏମିତିକି ସୁରକ୍ଷାକର୍ମୀଙ୍କ ରୁମ୍ ମରାମତି ପାଇଁ ୪ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି ।
{"id":128642}କେବଳ ଏଇ ଜଣେ ଆଇଏଏସ୍ ନୁହନ୍ତି । ବିଭିନ୍ନ ଜିଲ୍ଲାରେ ଆଇଏଏସ୍ ଓ ଆଇପିଏସ୍ ଅଫିସର ମାନେ ଅନୁରୂପ ଭାବେ ନିଜ ସରକାରୀ ବାସଭବନ ଓ ଅଫିସ ମରାମତି ଆଳରେ ସରକାରୀ ତହବିଲ୍ରୁ କୋଟି କୋଟି ଟଙ୍କା ସ୍ବାହା କରିଛନ୍ତି । ତଥ୍ୟ ଅନୁସାରେ ଗଲା ୫ବର୍ଷ ଭିତରେ ମାଲକାନଗିରି ଜିଲ୍ଲାପାଳଙ୍କ ସରକାରୀ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ମୋଟ ୩୪ ଲକ୍ଷ ୮ହଜାର ୧୩୨ ଟଙ୍କା । ଏହି ଟଙ୍କାକୁ ଏକାବେଳେକେ ଖର୍ଚ୍ଚ କରାଯାଇନାହିଁ । ବରଂ ଚାଲାକି କରି ପ୍ରତିବର୍ଷ ଗୋଟିଏ ଘରକୁ ମରାମତି ଆଳରେ ଖର୍ଚ୍ଚ କରାଯାଇଛି ଲକ୍ଷ ଲକ୍ଷ ଟଙ୍କା । କାରଣ ଏକାବେଳେକେ ୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କଲେ କାଳେ ଟେଣ୍ଡର କରିବାକୁ ପଡ଼ିବ । ତେଣୁ ସେଥିପ୍ରତି ମଧ୍ୟ ଖୁବ୍ ସତର୍କତା ଅବଲମ୍ବନ କରାଯାଇଛି ।
{"id":128649}ଇଏ ତ ଗଲା କଲେକ୍ପଟଙ୍କ ଖର୍ଚ୍ଚ କଥା ଏବେ ମାଲକାନଗିରି ଏସପିଙ୍କ ସରକାରୀ ବାସଗୃହ ଓ ଅଫିସ ମରାମତି ଖର୍ଚ୍ଚ ଉପରେ ଯଦି ନଜର ପକାଇବା ତାହେଲେ ୨୦୧୪ରୁ ୨୦୧୬ ଭିତରେ ସମାନ ଘରକୁ ମରାମତି ପାଇଁ ପର୍ଯ୍ୟାୟ କ୍ରମେ ଖର୍ଚ୍ଚ ହୋଇଛି ୧୧ଲକ୍ଷ ୨୪ହଜାର ୧୨୮ଟଙ୍କା । ସେହଭଳି କଟକ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ମରାମତି ବାବଦକୁ ୪ବର୍ଷର ଖର୍ଚ୍ଚ ହିସାବ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୪ ବର୍ଷରେ ସମାନ ଘର ଓ ଅଫିସରେ କେବଳ ମରାମତି ପାଇଁ ଖର୍ଚ୍ଚ କରାଯାଇଛି ୧ କୋଟି ୩୦ ଲକ୍ଷ ୨୮ ହଜାର ୫୪୩ ଟଙ୍କା । ସେପଟେ ଯାଜପୁର ଜିଲ୍ଲାପାଳଙ୍କ କଥା ଯଦି ଦେଖିବା ତାହେଲେ ଗଲା ୪ବର୍ଷ ଭିତରେ ବାବୁଙ୍କ ବାସଭବନ ମରାମତି ବାବଦକୁ ଖର୍ଚ୍ଚ ହୋଇଛି ମୋଟ୍ ୭୦ଲକ୍ଷ ୪୯ହଜାର ୪୩୫ଟଙ୍କା । ଆଉ ଏସପି ମହାଶୟ ୨୦୧୭-୧୮ରେ ତାଙ୍କ ବାସଭବନ ମରାମତି ପାଇଁ ଖର୍ଚ୍ଚ କରିଛନ୍ତି ୪ଲକ୍ଷ ୫୮ହଜାର ଟଙ୍କା ।
{"id":128650}ଏବେ ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ବେପରୁଆ ଖର୍ଚ୍ଚ ଉପରେ ଟିକେ ନଜର ପକାଇବା । ୨୦୧୪-୧୫ରୁ ୨୦୧୭-୧୮ ଭିତରେ ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଛି ୧୫ଲକ୍ଷ ୯୭ହଜାର ୨୬୦ଟଙ୍କା । ସେପଟେ ୨୦୧୪-୧୫ରେ ଜିଲ୍ଲାର ଦାୟିତ୍ବ ନେଇଥିବା ଏସପି ମଧ୍ୟ ତାଙ୍କ ବାସଭବନ ମରାମତି ବାବଦକୁ ଖର୍ଚ୍ଚ କରିଛନ୍ତି ୪ଲକ୍ଷ ୭୩ହଜାର ଟଙ୍କା ।
{"id":128651}କଳାହାଣ୍ଡି ଭଳି ପଛୁଆ ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ଏସପି ତାଙ୍କ ସରକାରୀ ବାସଭବନ ଓ ଅଫିସ ରିନୋଭେସନରେ ଖର୍ଚ୍ଚ କିଛି କମ୍ କରିନାହାନ୍ତି । କଳାହାଣ୍ଡି ଜିଲ୍ଲାପାଳଙ୍କ ଖର୍ଚ୍ଚର ହିସାବ ଆରଟିଆଇରେ ଆସିନଥିବା ବେଳେ ଏସପି ଗଲା ୩ବର୍ଷରେ ଘର ଓ ଅଫିସ ମରାମତିରେ ଖର୍ଚ୍ଚ କରିଛନ୍ତି ୩୦ଲକ୍ଷ ୬୯ହଜାର ଟଙ୍କା । ଆରଟିଆଇରୁ ମିଳିଥିବା ଏ ତଥ୍ୟ କହୁଛି ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ଟ୍ୟାକ୍ସ ପେୟରଙ୍କ ଟଙ୍କାକୁ କେମିତି ବେପରୁଆ ଭାବେ ପାଣି ଭଳି ଖର୍ଚ୍ଚ କରିଛନ୍ତି କିଛି ସରକାରୀ ବାବୁ । ଆଉ ସବୁଠୁ ଆଶ୍ଚର୍ଯ୍ୟ କରୁଛି ଆମ ବ୍ୟବସ୍ଥା । ସରକାରୀ ବାବୁଙ୍କ ବେଲଗାମ୍ ଖର୍ଚ୍ଚ ଉପରେ ଲଗାମ୍ ଲଗାଇବାକୁ ମଧ୍ୟ କେହି କେବେ ଚିନ୍ତା ବି କରିନାହାନ୍ତି ।