ଜେଲ୍ ଗଲେ IAS ବିଜୟ କେତନ ଉପାଧ୍ୟାୟ, ଲକ୍ଷେ ଟଙ୍କା ଲାଞ୍ଚ ନେଇ ହୋଇଥିଲେ ଗିରଫ

Published By : Prameya-News7 Bureau | January 05, 2020 IST

ଭୁବନେଶ୍ବର ୫।୧: ଜେଲ୍ ଗଲେ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ । ଜାମିନ୍ ଆବେଦନର ଶୁଣାଣି ପରେ ୧୪ଦିନ ପାଇଁ ବିଚାର ବିଭାଗ ହାଜତକୁ ତାଙ୍କୁ ପଠାଯାଇଛି । ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆସନ୍ତା ୮ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ୨୦୦୯ ବ୍ୟାଚ୍‌ର ଆଇଏଏସ ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେବାବେଳେ ଧରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ବିଜୟଙ୍କୁ ସସ୍‌ପେଣ୍ଡ କରାଯାଇଥିଲା । ସ୍ବଚ୍ଛତା ନୀତି ଅବଲମ୍ବନ କରାଯିବା ସହ କୌଣସି ଦୁର୍ନୀତଗ୍ରସ୍ତ ଅଧିକାରୀଙ୍କୁ ଛଡା ଯିବନି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।

ବିଜୟଙ୍କ ବାଲେଶ୍ବର ବାସଭବନ ଓ ଅଫିସରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା । ଏହାସହିତ ମଧ୍ୟ ଶଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ମୋ ସରକାର ଅଧିନରେ ଆସିଥିବା ମତାମତ ଆଧାରରେ ପଦକ୍ଷେପ ନିଆଯାଇଥିଲା । ଅଭିଯୋଗ ଆସିବା ପରେ ଦୀର୍ଘ ଦିନ ଧରି ବିଜୟ କେତନଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.