ଭାରତକୁ ମିଳିଲା ୩୬ତମ ରାଫେଲ, ଖୁବ୍ ଶୀଘ୍ର ସ୍କ୍ୱାଡ୍ରନରେ ହେବ ସାମିଲ
15/12/2022 at 3:59 PM

ନୂଆଦିଲ୍ଲୀ ୧୫।୧୨: ଫ୍ରାନ୍ସରୁ ୩୬ତମ ରାଫେଲ ଭାରତ ଆସିଛି। ଭାରତୀୟ ବାୟୁସେନା ଏହି ସୂଚନା ଦେଇଛନ୍ତି। ଏକ ବିମାନର ଫଟୋ ସହ ଭାରତୀୟ ବାୟୁସେନା ଟ୍ୱିଟ୍ କରି ‘ପ୍ୟାକ୍ କମ୍ପ୍ଲିଟ୍’ ବୋଲି ଉଲ୍ଲେଖ କରିଛି। ବାୟୁସେନାର ୩୬ ତମ ରାଫେଲ ୟୁଏଇ ଏୟାରଫୋର୍ସ ଟ୍ୟାଙ୍କର ଦ୍ୱାରା ରାସ୍ତାରେ ଫିଲିଂ କରି ଭାରତ ପହଞ୍ଚିଛି। ୫ ରାଫେଲ ବିମାନଙ୍କ ପ୍ରଥମ ସିପମେଣ୍ଟ ୨୦୨୦ ମସିହାରେ ଅମ୍ବାଲା ପହଞ୍ଚିଥିଲା। ପରେ ଏଗୁଡିକ ଭାରତୀୟ ବାୟୁସେନା ସ୍କ୍ୱାଡ୍ରନରେ ସାମିଲ କରାଯାଇଥିଲା।
ରାଫେଲ ଜେଟ୍ର ଶେଷ ୪ଟି ବିମାନରୁ ୩ଟି ଗତଫେବୃଆରୀ ମାସରେ ଭାରତ ଆସିଥିଲା। ଭାରତ ପହଞ୍ଚିଥିବା ୩୬ତମ ରାଫେଲକୁ ମଧ୍ୟ ଔପଚାରିକ ରୂପେ ସ୍କ୍ୱାଡ୍ରନରେ ସାମିଲ କରାଯିବ। ରାଫେଲର ପ୍ରଥମ ସିପମେଣ୍ଟ ହାସଲ କରିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରାଫେଲା କିଣା ଭାରତୀୟ ପ୍ରତିରକ୍ଷା ଲାଗି ଏକ ଗେମ ଚେଞ୍ଜର ହେବ ବୋଲି କହିଥିଲେ। ଭାରତୀୟ ବାୟୁସେନା ମୁଖ୍ୟ ଭି.ଆର ଚୌଧୁରୀ ଗତମାସରେ ନୂଆ ଟେକ୍ନୋଲଜିରେ ସଜ୍ଜିତ ରାଫେଲର ଉଡାଣ କରିଥିଲେ।
FEET DRY!
— Indian Air Force (@IAF_MCC) December 15, 2022
'The Pack is Complete'
The last of the 36 IAF Rafales landed in India after a quick enroute sip from a UAE Air Force tanker.
Shukran jazeelan. @modgovae pic.twitter.com/5rkMikXQeS
ନିକଟରେ ଭାରତ-ଫ୍ରାନସ ସୈନିକଙ୍କ ମଧ୍ୟରେ ଦ୍ୱିପାକ୍ଷୀୟ ସୈନ୍ୟ ଅଭ୍ୟାସ ହୋଇଥିଲା। ଫ୍ରାନ୍ସ ବାୟୁସେନା ମୁଖ୍ୟ ଷ୍ଟିଫେନ ମିଲ ମଧ୍ୟ ଭାରତ ଆସିଥିଲେ। ସେ ମଧ୍ୟ ଗରୁଡ-୫ରେ ଉଡାଣ କରିଥିଲେ। ଭାରତୀୟ ବାୟୁସେନା ଓ ଫ୍ରାନ୍ସ ବାୟୁସେନା ମଧ୍ୟରେ ଏହା ବାର୍ଷିକ ଦ୍ୱିପାକ୍ଷୀୟ ସମରାଭ୍ୟାସ ଥିଲା। ରାଫେଲ ବିମାନ କିଣିବା ଲାଗି ଭାରତ ୨୦୧୬ ମସିହାରେ ଫ୍ରାନ୍ସ ସହ ରାଜିନାମା କରିଥିଲା। ଏଥିରେ ୬୦ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ ବିମାନ କିଣିବା ଲାଗି ଚୁକ୍ତି ହୋଇଥିଲା।
ରିପୋର୍ଟ ଅନୁସାରେ ପ୍ରତି ରାଫେଲର ମୂଲ୍ୟ ୬୭୦ କୋଟି ଟଙ୍କା। ଭାରତର ରାଫେଲ ଯୁଦ୍ଧବିମାନ କିଣାକୁ ନେଇ ବିବାଦ ଦେଖା ଦେଇଥିଲା। ବିରୋଧୀ ୟୁପିଏ ସରକାରରେ କମ୍ ମୂଲ୍ୟରେ ଅଧିକ ରାଫେଲ ବିମାନ କିଣିବା ଲାଗି ଚୁକ୍ତି କରାଯାଇଥିଲା ବୋଲି କଂଗ୍ରେସ କହିଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପୁରୁଣା ଡିଲକୁ ଖାରଜ କରି ମହଙ୍ଗା ମୂଲ୍ୟରେ କମ୍ ରାଫେଲ କିଣିଥିବା କଂଗ୍ରେସ ଅଭିଯୋଗ କରିଥିଲା।