କର୍ମକ୍ଷେତ୍ରକୁ ଫେରିଲେ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ; ଏବେ ଉଡାଇ ପାରିବେ ନାହିଁ ମିଗ୍-୨୧ ବିମାନ

Published By : Prameya-News7 Bureau | March 27, 2019 IST

ଶ୍ରୀନଗର ୨୭|୩ : ଭାରତୀୟ ବାୟୁସେନାର ଚର୍ଚ୍ଚିତ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି ।  ବାୟୁସେନାର ଶ୍ରୀନଗର ସ୍ଥିତ ଏୟାର ଫୋର୍ସ ସ୍କ୍ବାର୍ଡନକୁ ଫେରିଛନ୍ତି ଅଭିନନ୍ଦନ। ସ୍ବାସ୍ଥ୍ୟଗତ କାରଣରୁ ସେ ୪ସପ୍ତାହ ଛୁଟିରେ ଅଛନ୍ତି । ଜଣେ ଅଧିକାରୀ କହିଛନ୍ତି ଅଭିନନ୍ଦନ ଛୁଟିରେ ଘରକୁ ଯିବା ପରିବର୍ତ୍ତେ ସ୍କ୍ବାର୍ଡନ ଫେରିବାର ନିଷ୍ପତ୍ତି ନେଇଥିଲେ ।

ସ୍ବଦେଶ ଫେରିବା ପରେ ଅଭିନନ୍ଦନଙ୍କର ଡି ବ୍ରିଫିଙ୍ଗ୍‌ ସହ ତାଙ୍କୁ ସେନାର ନୂଆଦିଲ୍ଲୀ ସ୍ଥିତ ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ରଖି ଚିକିତ୍ସା କରାଯାଇଥିଲା। ସେ ସୁସ୍ଥ ହେବା ପରେ ଡାକ୍ତରମାନେ ତାଙ୍କୁ ୪ ସପ୍ତାହ ଛୁଟିରେ ରହି ବିଶ୍ରାମ ନେବା ସହ ନିଜ ପରିବାର ସହ ସମୟ ଅତିବାହିତ କରିବାକୁ କହିଥିଲେ। ଡାକ୍ତରଙ୍କ ପରାମର୍ଶ ମାନି ସେ ଚେନ୍ନାଇରେ ରହୁଥିବା ତାଙ୍କ ପିତାମାତା ଓ ପତ୍ନୀଙ୍କ ନିକଟକୁ ଯାଇଥିଲେ। ହେଲେ, ଘରେ ରହି ତାଙ୍କୁ ବିଶ୍ରାମ ନେବାକୁ ଭଲ ଲାଗିଲା ନାହିଁ। ସେଥିପାଇଁ ସେ ପୁଣି ଥରେ କର୍ମସ୍ଥଳକୁ ଫେରିଛନ୍ତି ।  

ତେବେ ସେ କର୍ମସ୍ଥଳୀକୁ ଫେରିଥିଲେ ମଧ୍ୟ ଲଢୁଆ ବିମାନ ମିଗ୍‌-୨୧କୁ ଉଡାଇ ପାରିବେ ନାହିଁ। କାରଣ ଏବେ ଚାରି ସପ୍ତାହ ପାଇଁ ତାଙ୍କୁ ଛୁଟିରେ ରହି ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ସେନାର ନୂଆଦିଲ୍ଲୀ ସ୍ଥିତ ସେନାର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲର ଡାକ୍ତରମାନେ।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରି ୨୬ ତାରିଖରେ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିବା ପାକିସ୍ତାନୀ ବାୟୁ ସେନାର ଏକ ଲଢୁଆ ଏଫ୍‌-୧୬ ବିମାନ ।  ତାହାକୁ ଘଉଡାଇବାକୁ ଯାଇ ମିଗ୍‌-୨୧ ବିସନ୍‌ ଲଢୁଆ ବିମାନ ନେଇ ଯାଇଥିଲେ ଅଭିନନ୍ଦନ ।  ମିସାଇଲ୍‌ ମାଡ କରି ତଳକୁ ଖସାଇ ଦେଇଥିଲେ ଏଫ୍‌-୧୬ ର ପାକିସ୍ତାନୀ ବିମାନକୁ । ଅଭିନନ୍ଦନଙ୍କର ବିମାନ ମିଗ୍-୨୧ କ୍ରାସ୍ ହୋଇଯାଇଥିଲା । ଫଳରେ ସେ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ । ହେଲେ ପାକିସ୍ତାନ ମାଟିରେ ଖସିଯାଇଥିଲେ ଅଭିନନ୍ଦନ । ଆଉ ଏହାପରେ ସେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶୀକାର ହୋଇଥିଲେ । ପାକ୍ ଆର୍ମି ସେଠାରେ ପହଂଚି ଅଭିନନ୍ଦନଙ୍କୁ ସେମାନଙ୍କ କବଳରୁ ଛଡାଇ ଆଣିଥିଲେ । ପରେ ତାଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା ପାକିସ୍ତାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.