ISIର ପୋଲ୍ ଖୋଲି ଦେବି, ନଓ୍ଵାଜଙ୍କ ପରି ପଳାୟନ କରିବି ନାହିଁ; ପାକିସ୍ତାନ ସରକାରକୁ ଇମ୍ରାନ ଖାନଙ୍କ ଚେତାବନୀ

Published By : Prameya-News7 Bureau | October 28, 2022 IST

ନୂଆଦିଲ୍ଲୀ: ମୁଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖା ଖୋଲିଦେବି। ମୁଁ ନଓ୍ଵାଜ ସରିଫଙ୍କ ପରି ଦେଶରୁ ପଳାୟନ କରିବି ନାହିଁ। ଦେଶରେ ଅଛି ଏବଂ ଆଇନର ସାମ୍ନା କରିବି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଶେହବାଜ ସରିଫଙ୍କ ଉପରେ ଏହିପରି ହମଲା କରିଛନ୍ତି। ଇମ୍ରାନ ଭାରତର ବୈଦେଶିକ ନୀତିର ପ୍ରଶଂସା କରିବା ସହ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି ମୁଁ ଦେଶର କୌଣସି ଆଇନ କିମ୍ବା ନିୟମ ଭଙ୍ଗ କରୁନି। ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ତେହରିକ ଏ ଇନସାପ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ଏବଂ ପାର୍ଟିର କାର୍ଯ୍ୟକର୍ତ୍ତା ଲାହୋର ଲିବର୍ଟି ଛକରୁ ଇସଲାମାବାଦ ପର୍ଯ୍ୟନ୍ତ ହକିକି ଆଜାଦୀ ଲଙ୍ଗ ମାର୍ଚ ଆରମ୍ଭ କରିଛନ୍ତି। ଏହି ସମୟରେ ଜନତାଙ୍କୁ ସମ୍ବୋଧିତ କରି ଏମିତି ବୟାନ ଦେଇଛନ୍ତି ଇମ୍ରାନ।

ଇମ୍ରାନଙ୍କୁ ଜବାବ ଦେବା ପାଇଁ ଶେଷରେ ଆଇଏସଆଇର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ନଦୀମ ଅଞ୍ଜୁମଙ୍କୁ ଗଣମାଧ୍ୟମ ସାମ୍ନାକୁ ଆସିବାକୁ ପଡିଛି। ସେ ଇମ୍ରାନଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉଲ୍ଲେଖନୀୟ ପାକିସ୍ତାନର ଇତିହାସରେ ପ୍ରଥମ ଥର ଆଇଏସଆଇ ମୁଖ୍ୟଙ୍କୁ ଗଣମାଧ୍ୟମ ସାମ୍ନାକୁ ଆସିବାକୁ ପଡିଛି। କାରଣ ଆଇଏସଆଇ ମୁଖ୍ୟ ସର୍ବଦା କ୍ୟାମେରାରୁ ଦୂରରେ ରହିଥାନ୍ତି। ସଂପ୍ରତି ଇମ୍ରାନ ଖାନ ଏବଂ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ଵା, ଆଇଏସଆଇ ମୁଖ୍ୟ ନଦୀମ ଅଞ୍ଜୁମଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.