ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ପଦକୁ ନେଇ ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ଏହି ପଦରୁ ଅବ୍ୟାହତି ନେବାକୁ ଯାଉଛନ୍ତି। କାରଣ ଗାଙ୍ଗୁଲିଙ୍କୁ ଆଉ ଏକ କାର୍ଯ୍ୟକାଳ ଦେବାକୁ ପ୍ରସ୍ତୁତ ନାହାନ୍ତି ବୋର୍ଡର ଅନ୍ୟ ସଦସ୍ୟ। ଫଳସ୍ଵରୂପ ପୂର୍ବତନ ଅଧିନାୟକଙ୍କୁ ନିଜ ପଦରୁ ହଟିବାକୁ ପଡିପାରେ। ସଂପ୍ରତି ତାଙ୍କ ସ୍ଥାନ ନେବାକୁ ବର୍ତ୍ତମାନ ସର୍ବାଗ୍ରେ ଅଛନ୍ତି ୧୯୮୩ ବିଶ୍ଵ କପ୍ ବିଜେତା ଦଳର ସଦସ୍ୟ ରୋଜର ବିନ୍ନି।
ଏହି ସବୁ ମଧ୍ୟରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଗାଙ୍ଗୁଲି। ଏକ ଘରୋଇ ବ୍ୟାଙ୍କର କାର୍ଯ୍ୟକ୍ରମରେ ଗାଙ୍ଗୁଲି କହିଛନ୍ତି, ଏହା ଜୀବନର ଏକ ଚକ୍ର। ଉତଥାନ ପତନ ଲାଗି ରହିଥାଏ। ଆଉ ଏହି ସମୟରେ ସବୁଠୁ ଜରୁରୀ ନିଜ ଉପରେ ବିଶ୍ଵାସ ରଖିବା।
୫୦ ବର୍ଷୀୟ ଗାଙ୍ଗୁଲି କହିଛନ୍ତି, ଲର୍ଡ୍ସରେ ପଦାର୍ପଣ ସମୟରେ ମୋର ଚିନ୍ତାଧାରା ବେଶ ଅନୁକୂଳ ଥିଲା। କ୍ୟାରିୟରରେ ସଫଳ ହେବାକୁ ହେଲେ ଛୋଟ ଛୋଟ ପଦକ୍ଷେପ ଦେଇ ଆଗକୁ ବଢିବାକୁ ପଡିଥାଏ। ଏହାକୁ ଦିନକୁ ଦିନ ଜାରି ରଖିବାକୁ ପଡିଥାଏ। ଯଦି ଆପଣ କିଛି ଶୀଘ୍ର ପାଇବାକୁ ଚାହାନ୍ତି ତେବେ ଏହା ସମ୍ଭବ ନୁହେଁ। ଆପଣ ଗୋଟିଏ ଦିନର ସଚିନ ତେନ୍ଦୁଲକର ହୋଇ ପାରିବେ ନାହିଁ। ଆପଣ ଗୋଟିଏ ଦିନରେ ନରେନ୍ଦ୍ର ମୋଦୀ ହୋଇ ପାରିବେ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି।
ପୂର୍ବତନ ଅଧିନାୟକ କହିଛନ୍ତି, ମୁଁ ଜଣେ ପ୍ରଶାସକ। ମୁଁ ନିଜ ଜୀବନରେ ଆଉ କିଛି କରି ପାରିବି। ବାସ୍ ନିଜ ଉପରେ ବିଶ୍ଵାସ ରଖିବା ଅତି ଜରୁରୀ। ପ୍ରତିଟି କ୍ଷଣରେ ପରୀକ୍ଷା ଦେବାକୁ ପଡିଥାଏ। ଲୋକେ ଏଥିରେ ସଫଳ ଆଉ ବିଫଳ ବି ହୁଅନ୍ତି। କିନ୍ତୁ ନିଜ ଉପରେ ବିଶ୍ଵାସ ରଖିବା ଅତି ଜରୁରୀ।
ଗାଙ୍ଗୁଲି କହିଛନ୍ତି, ମୁଁ ଜଣେ ପ୍ରଶାସକ। ଜୀବନରେ ଆଉ କିଛି କରି ପାରିବି। ଜୀବନରେ ନିଜ ଉପରେ ବିଶ୍ଵାସ ରଖିବାକୁ ପଡିବ। ଯେ କେହି ବି ଆପଣଙ୍କର ପରୀକ୍ଷା ନେବେ। ଏଥିରେ କିଏ ସଫଳ ହୁଅନ୍ତି ତ ଆଉ କିଏ ବିଫଳ ହୁଅନ୍ତି। ଏହି ସବୁ ଭିତରେ ଯାହା କିଛି ବଞ୍ଚିଥାଏ ତାହା ହେଉଛି ନିଜର ଆତ୍ମ ବିଶ୍ଵାସ।
ଗାଙ୍ଗୁଲି ୨୦୧୯ରୁ ବିସିସିଆଇର ଅଧ୍ୟକ୍ଷ ପଦ ସମ୍ଭାଳି ଆସିଛନ୍ତି। ସଂପାଦକ ଜୟ ଶାହ ବି ନିଜ ପଦରେ ଅଛନ୍ତି। ଦୁହିଁଙ୍କ କାର୍ଯ୍ୟକାଳ ନଭେମ୍ବରରେ ସରିବାକୁ ଯାଉଛି। କିନ୍ତୁ ଜୟ ଶାହ ନିଜ ପଦ ବଜାୟ ରଖିବେ, ମାତ୍ର ଗାଙ୍ଗୁଲିଙ୍କୁ ନିଜ ପଦ ଛାଡିବାକୁ ପଡିବ। ପ୍ରଥମେ ଖବର ଆସିଥିଲା ଯେ, ଗାଙ୍ଗୁଲି ନିଜ ପଦ ବଜାୟ ରଖିବେ। କିମ୍ବା ତାଙ୍କୁ ଆଇସିସିର ଚେୟାରମ୍ୟାନ ପଦ ପାଇଁ ବିସିସିଆଇ ପକ୍ଷରୁ ମନୋନୀତ କରାଯାଇପାରେ।