କୋହଲିଙ୍କର ମୋ ଠାରୁ ବି ଅଧିକ ଦକ୍ଷତା ଅଛି: ସୌରଭ ଗାଙ୍ଗୁଲି
10/09/2022 at 4:27 PM

ମୁମ୍ବାଇ: ବିରାଟଙ୍କ ହାତରୁ କ୍ୟାପ୍ଟେନ୍ସିପ୍ ଯିବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ତାଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଗଣମାଧ୍ୟମରେ ଉଭୟଙ୍କ ବୟାନ ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା। ହେଲେ ଏବେ ସୌରଭ ଗାଙ୍ଗୁଲି ବିରାଟଙ୍କୁ ପ୍ରଶଂସା କରି ଯେଉଁ ବୟାନ ଦେଇଛନ୍ତି ସେଥିରେ ଏହି ଚର୍ଚ୍ଚାରେ ଯବନିକା ପଡ଼ିଛି ବୋଲି ମନେ ହେଉଛି।
୩୩ ବର୍ଷୀୟ କ୍ରିକେଟର ବିରାଟ କୋହଲି ତାଙ୍କ ଠାରୁ ବି ଅଧିକ ପ୍ରତିଭାଶାଳୀ ବୋଲି ଗାଙ୍ଗୁଲି କହିଛନ୍ତି। ଏସିଆ କପ୍ ୨୦୨୨ରେ ଆଫଗାନିସ୍ତାନ ବିରୋଧରେ ଖେଳୁଥିବା ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଥିଲା ଭାରତ। ବିରାଟ କୋହଲି ଏଥିରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍ରେ ସେ ତାଙ୍କ ପୂର୍ବ ଟି-୨୦ ରେକର୍ଡ ଭାଙ୍ଗି ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୨୨ କରିଥିଲେ। ୬୧ ବଲ୍ରେ ସେ ଏହି ରନ୍ କରିପାରିଥିଲେ। ତା ଛଡ଼ା ୨୦୧୯ ଠାରୁ ପ୍ରାୟ ଦୁଇ ବର୍ଷ ପରେ ଅନ୍ତର୍ଜାତୀୟ ଫର୍ମାଟ୍ରେ ଶତକ ହାସଲ କରିଥିଲେ ବିରାଟ। ଯାହାକୁ ନେଇ ବିରାଟଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା।
ଏହାକୁ ନେଇ ସୌରଭ କୋହଲିଙ୍କ ପ୍ରଶଂସା କରିଥିଲେ। ଟିଆର୍ଏସ୍ କ୍ଲିପ୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ଗାଙ୍ଗୁଲି କହିଥିଲେ “ବିରାଟ କୋହଲି ମୋ ଠାରୁ ଦକ୍ଷତାପୂର୍ଣ୍ଣ ଖେଳାଳି।”
ୟୁଟ୍ୟୁବ ଚ୍ୟାନେଲ୍ର ଆଙ୍କର ଗାଙ୍ଗୁଲିଙ୍କୁ ଏଗ୍ରେସିଭ୍ ନେଇ ବିରାଟ ଓ ତାଙ୍କ ମଧ୍ୟରେ କେମିତି ତୁଳନା ରହିଛି ବୋଲି ପ୍ରଶ୍ନ କରିଥିଲେ। ଏଥିରେ ଜବାବ ଦେଇ ଗାଙ୍ଗୁଲି କହିଥିଲେ “ ମୋତେ ଲାଗୁନି ଯେ ଏମିତି ତୁଳନା ହେବା ଦରକାର। ଜଣେ ଖେଳାଳି ହିସାବରେ ଦକ୍ଷତାକୁ ନେଇ ତୁଳନା ହେବା ଦରକାର। ମୁଁ ଭାବୁଛି ସେ ମୋ ଠାରୁ ବି ଅଧିକ ଦକ୍ଷତାସମ୍ପନ୍ନ। ଆମେ ଗୋଟେ ଅଲଗା ପିଢ଼ିରୁ କ୍ରିକେଟ୍ ଖେଳୁଥିଲୁ। ଆମେ ବହୁତ କ୍ରିକେଟ ଖେଳିଛୁ। ମୁଁ ମୋ ପିଢ଼ିରେ କ୍ରିକେଟ୍ ଖେଳୁଥିଲି। ସେ ବର୍ତ୍ତମାନ ଖେଳ ଜାରି ରଖିଛନ୍ତି। ହେଇପାରେ ସେ ମୋଠାରୁ ବି ଅଧିକ ଖେଳିପାରନ୍ତି। ବର୍ତ୍ତମାନ ତାଙ୍କ ଠାରୁ ମୁଁ ଅଧିକ ମ୍ୟାଚ୍ ଖେଳିଛି କିନ୍ତୁ ସେ ଏହାକୁ ପଛରେ ପକାଇପାରିବେ। ସେ ଖୁବ ଚମତ୍କାର ଖେଳାଳି।”
ତେବେ ଏସିଆ କପ ପରେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି ବିରାଟ କୋହଲି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେଙ୍କୁ ସାକ୍ଷାତକାର ଦେଇ ବିରାଟଙ୍କୁ ପାଖରେ ଆହୁରି ଅନେକ ସମ୍ଭାବନା ରହିଛି ବୋଲି ଗାଙ୍ଗୁଲି କହିଥିଲେ।