ଶଙ୍କର ମିଶ୍ରଙ୍କ ଅଜବ ଦାବି ପରେ ମୁହଁ ଖୋଲିଲେ ପୀଡିତା ମହିଳା, କହିଲେ…
14/01/2023 at 4:38 PM

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ନଭେମ୍ବର ମାସରେ ଘଟିଥିବା ପରିସ୍ରା ଘଟଣାରେ ପ୍ରତିଦିନ ନୂତନ ଖବର ମିଳିବାରେ ଲାଗିଛି। ଅଭିଯୁକ୍ତ ଶଙ୍କର ମିଶ୍ର କୋର୍ଟରେ କହିଛନ୍ତି, ସେ ମହିଳାଙ୍କ ଉପର ପରିସ୍ରା କରି ନାହାନ୍ତି, ମହିଳା ନିଜ ସିଟ୍ରେ ପରିସ୍ରା କରିଛନ୍ତି। ଶଙ୍କର ମିଶ୍ରଙ୍କ ଏମିତି ମନ୍ତବ୍ୟକୁ ଦୃଢ ବିରୋଧ କରିଛନ୍ତି ମହିଳା। ଶଙ୍କର ମିଛ ଏବଂ ମନଗଢା କାହାଣୀ କହୁଥିବା ମହିଳା କହିଛନ୍ତି।
ଶଙ୍କର ମିଶ୍ରଙ୍କୁ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। କୋର୍ଟ ପୋଲିସର ରିମାଣ୍ଡ ଅନୁରୋଧକୁ ମଧ୍ୟ ପ୍ରତ୍ୟାଖାନ କରିଛନ୍ତି। ମହିଳା କହିଛନ୍ତି, ସେ ନିଜର ଘୃଣିତ କାମ ପାଇଁ ପଶ୍ଚାତାପ କରିବା ପରିବର୍ତ୍ତେ ମିଛ କହୁଛନ୍ତି। ମୋତେ ପୁନର୍ବାର ହଇରାଣରେ ପକାଇବାକୁ ଚାହୁଁଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୨୬ରେ ଘଟିଥିବା ଏହି ଘଟଣାକୁ ଏକ ମାସରୁ ଅଧିକ ସମୟ ବିତିବା ପରେ ଅଭିଯୁକ୍ତ ସାମ୍ନାକୁ ଆସିଥିଲେ। ଗତ ସପ୍ତାହରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ପୋଲିସ୍ ଗିରଫ କରିଥିଲା। ସେ ଅନେକ ଦିନ ନିଜକୁ ଅଧିକାରୀଙ୍କ ନଜରରେ ଲୁଚେଇ ରଖିଥିଲେ। ଆମେରିକା ବ୍ୟାଙ୍କିଙ୍ଗ କମ୍ପାନି ଓ୍ଵେଲ୍ସ କାର୍ଗୋ ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲା। ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଯାତ୍ରା ବେଳେ ବିମାନରେ ଶଙ୍କର ପ୍ୟାଣ୍ଟ ଖୋଲି ବିଜନେସ୍ କ୍ଲାସରେ ବସିଥିବା ୭୨ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରିଥିଲେ।
ଶନିବାର ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ ଶଙ୍କର ମିଶ୍ରଙ୍କ ପକ୍ଷରୁ କହିଛନ୍ତି, ମୁଁ ଅଭିଯୁକ୍ତ ନୁହେଁ। ମାମଲାରେ ଆଉ କିଏ ଅଭିଯୁକ୍ତ ହେବା ଉଚିତ୍। ଲାଗୁଛି ମହିଳା ଜଣକ ନିଜ ଉପରେ ପରିସ୍ରା କରିଛନ୍ତି। ବିମାନରେ ବସିବା ପାଇଁ ଏମିତି ବ୍ୟବସ୍ଥା ରହିଛି ଯେ, ମହକିଲ ମୋର ମହିଳାଙ୍କ ସିଟ୍ ପର୍ଯ୍ୟନ୍ତ ଯାଇ ପାରିବେ ନାହିଁ। ମହିଳାଙ୍କ ସିଟ୍ କେବଳ ପଛ ପଟୁ ହିଁ ଯାଇ ପାରିବ। କୌଣସି ବି ପରିସ୍ଥିତିରେ ପରିସ୍ରା ସିଟ୍ ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ। ଏପରିକି ପଛରେ ବସିଥିବା ଯାତ୍ରୀ ମଧ୍ୟ ଏମିତି କୌଣସି ଅଭିଯୋଗ କରି ନାହାନ୍ତି ବୋଲି ଶଙ୍କର ମିଶ୍ରଙ୍କ ଓକିଲ କହିଛନ୍ତି।