ରେଡ଼ିଓ ଷ୍ଟେସନ୍‌ର ପ୍ରସାରଣ ଉପରେ ଲାଗିବ ବ୍ରେକ୍‌, ନିର୍ଦ୍ଦେଶନାମା ଜାରି କଲା ମନ୍ତ୍ରାଳୟ

Published By : Prameya-News7 Bureau | December 01, 2022 IST

ନୂଆଦିଲ୍ଲୀ, ୦୧/୧୦: ମନଇଛା କଣ୍ଟେଣ୍ଟ୍‌ ପ୍ରସାରଣ କରୁଥିବା ରେଡ଼ିଓ ଚ୍ୟାନେଲ୍‌ ଉପରେ ଏବେ ଲାଗିବ ବ୍ରେକ୍‌ । କେନ୍ଦ୍ର ସରକାର ଏଥିପାଇଁ ତତ୍ପର ହୋଇଛନ୍ତି । ମାଦକ ଦ୍ରବ୍ୟ, ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର, ଗ୍ୟାଙ୍ଗ୍‌ଷ୍ଟର ଏବଂ ବନ୍ଧୁକ ସମ୍ୱନ୍ଧୀୟ କୌଣସି ଗୀତ କିମ୍ୱା ପ୍ରସାରଣ ହେଉଥିବା କଣ୍ଟେଣ୍ଟ୍‌ ଉପରେ ରୋକ୍‌ ଲଗାଯାଇଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏନେଇ ନଭେମ୍ୱର ୩୦ରେ ଏକ ନିର୍ଦ୍ଦେଶନାମା ଜାରି କରିଛି ।

 କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ଏହି ନିର୍ଦ୍ଦେଶନାମାରେ କିଛି ଏଫ୍‌ଏମ୍‌ ରେଡ଼ିଓ ଚ୍ୟାନେଲ୍‌ ଗୀତ ଏବଂ କଣ୍ଟେଣ୍ଟ୍‌ ପ୍ରସାରଣରେ ନିୟମ ଅନୁସରଣ କରୁନଥିବା ଦର୍ଶାଯାଇଛି । ଏଥିରେ ମାଦକ ଦ୍ରବ୍ୟ, ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର, ଗ୍ୟାଙ୍ଗ୍‌ଷ୍ଟର ଏବଂ ବନ୍ଧୁକ ଆଦିର ଏକ ପ୍ରକାରର ପ୍ରସାର କରାଯାଉଛି । ନିୟମ ଅନୁସାରେ ଅଲ୍‌ ଇଣ୍ଡିଆ ରେଡିଓ(ଏଆଇଆର୍‌) ବିଭିନ୍ନ ସମୟରେ ପରିବର୍ତ୍ତନ କରୁଥିବା କ୍ଲଜ୍‌ ୧୧.୧କୁ ସମସ୍ତ ରେଡିଓ ଷ୍ଟେସନ୍‌ ଅନୁସରଣ କରିବେ । ଯାହାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଥାଏ । ଏଆଇଆର୍‌ ପ୍ରସାରଣ କରୁଥିବା ପ୍ରୋଗ୍ରାମ ଏବଂ ବିଜ୍ଞାପନ ଅନୁସାରେ ଅନ୍ୟମାନେ ମଧ୍ୟ ଏହାକୁ ପ୍ରସାରଣ କରିବେ । ଉପରୋକ୍ତ ପ୍ରସାରଣ ଏଆଇଆର୍‌ର କୋଡ୍‌ର ନିୟମ ବିରୋଧ ବୋଲି ଏହି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

ପଞ୍ଜାବ ଏବଂ ହରିୟାଣା ଉଚ୍ଚନାୟାଳୟ ଏହି କଣ୍ଟେଣ୍ଟ୍‌ ଛୋଟ ପିଲା ମାନଙ୍କ ଉପରେ ଖରାପ ପ୍ରଭାବ ପକାଉଥିବା ନେଇ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି । ଏହା ଗ୍ୟାଙ୍ଗଷ୍ଟର ଭଳି ଖରାପ ସଭ୍ୟତାକୁ ପ୍ରବର୍ତ୍ତାଉଥିବା ମନ୍ତ୍ରାଳୟ କହିଛି । ତେବେ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ପାଳନ ନକଲେ ବା ଏହାର ସର୍ତ୍ତାବଳୀ ଅନୁସରଣ ନକଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ଏଥିରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.