ଦେବଗଡ ଏବଂ ଓଡ଼ିଶାର ବିକାଶ ପାଇଁ ମୁଁ ମିସ୍ତ୍ରି ହେବାକୁ ମୁଁ ପ୍ରସ୍ତୁତ: ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | May 14, 2024 IST

ଦେବଗଡ଼: ଦେବଗଡ଼ ମୋର ଘର । ମୋର ପରିବାର ପାଇଁ ମୁଁ କ’ଣ କରିଛି ତାହା ଲୋକେ ଜାଣିଛନ୍ତି । ଏଥିପାଇଁ ଗୁମାସ୍ତା ଓ କ୍ରୀତଦାସଙ୍କ ସାର୍ଟିଫିକେଟ ଦରକାର ନାହିଁ ବୋଲି ମଙ୍ଗଳବାର ଦେବଗଡ଼ ନିର୍ବାଚନମଣ୍ଡଳୀର କଣ୍ଢଳରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡ଼ିଶାରେ ପରିବର୍ତ୍ତନ ଓ ନୂଆ ସରକାର କରିବା ପାଇଁ ଭୋଟ୍ ଦେବାକୁ ସମବେତ ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି ।   

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କଣ୍ଢଳରେ ଆୟୋଜିତ ଶୋଭା ଯାତ୍ରାରେ ବିଧାୟକ ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ବି ରାଜ୍ୟର ଘରେ ଘରେ ପାଇପ ଯୋଗେ ପିଇବା ପାଣିର ସୁବିଧା ନାହିଁ । ରେଙ୍ଗାଲି ପ୍ରକଳ୍ପ ଅଞ୍ଚଳ ବ୍ରାହ୍ମଣୀ ନଦୀ ଉପତ୍ୟକାରେ ରହି ମଧ୍ୟ ଦେବଗଡ଼ରେ ଜମିକୁ ପାଣି ପହଞ୍ଚିପାରିଲା ନାହିଁ । ଚାଷଜମିରେ ଜଳସେଚନର ବ୍ୟବସ୍ଥା ନାହିଁ । ମେଡିକାଲରେ ଡାକ୍ତର ଓ ସ୍କୁଲରେ ଶିକ୍ଷକ ନାହାନ୍ତି ।

ଖଣ୍ଡପଡାରେ ପାଣ୍ଡିଆନ୍‌ଙ୍କ ପ୍ରଚାର, 'ନବୀନ ଶପଥ ନେବା ପରେ ବିଜୁଳି ବିଲ୍ ଛାଡ କରିବାକୁ ପ୍ରଥମ ଦସ୍ତଖତ କରିବେ'

ସେ କହିଛନ୍ତି ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦ ପ୍ରତିଶତ ପିଲାମାନେ ପରୀକ୍ଷା ଦେଉନାହାନ୍ତି । ପ୍ରାୟ ୪୯.୯ ପ୍ରତିଶତ ପିଲାମାନେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡୁଛନ୍ତି ।  ରାଜ୍ୟର ଏକ ତୃତୀୟାଂଶ ଲୋକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି । ଏହା ଉପରେ ପ୍ରଶ୍ନ କଲେ ମୋତେ ରାଜମିସ୍ତ୍ରୀ କହି ଆକ୍ଷେପ କରୁଛନ୍ତି । ଦେବଗଡ ଏବଂ ଓଡ଼ିଶାର ବିକାଶ ପାଇଁ ମୁଁ ମିସ୍ତ୍ରି ହେବାକୁ ରାଜି ଅଛି   । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ଯେଉଁ ଅବ୍ୟବସ୍ଥା, ଦୁର୍ନୀତି, ଅତ୍ୟାଚାର, ଭ୍ରଷ୍ଟାଚାର ଶାସନ ଚାଲିଛି, ଲୋକମାନେ ଏଥର ଜବାବ ଦେବେ ଏବଂ ପରିବର୍ତ୍ତନ କରାଇବେ ।  

ବିଜେପିର ସଂକଳ୍ପ ପତ୍ର ପରେ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ   ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ ।  ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । 

ସେ କହିଛନ୍ତି  ରାଜ୍ୟରେ ମୋଦୀ ସରକାରଙ୍କ ଏସଏଚଜି ସମୂହକୁ ନେଇ ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ । ଗତକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେପି ପ୍ରତି ଭୋଟ୍ ହାର ବଢିଥିବା ଜଣାଯାଇଛି । ତେଣୁ ଏତର ପରିବର୍ତ୍ତନ ହେଉଛି ।  ଆସନ୍ତା ୨୫ ତାରିଖରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଦୁଇ ଥର ପଦ୍ମଫୁଲରେ ଭୋଟ ଦେବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅନେକ ସମର୍ଥକ ବିଜେପିରେ ସାମିଲ ହୋଇଥିଲେ । ଶ୍ରୀ ପ୍ରଧାନ ବାରକୋଟ୍ ସରଣୀପାଟ ମନ୍ଦିରରେ ମଧ୍ୟ ଦର୍ଶନ କରିବା ସହ ଦେବୀ କୃପା ଲାଭ କରିଥିଲେ ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.