ଅନ୍ଧାରରେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି କି, ସାବଧାନ ! ଏହି ମହିଳା ହରାଇଥିଲେ ଦୃଷ୍ଟି ଶକ୍ତି, ଜାଣନ୍ତୁ ଘଟଣା…
9/02/2023 at 11:15 PM

ନୂଆଦିଲ୍ଳୀ, ୦୯/୦୨: ଆମେ ସମସ୍ତେ ଟେକ୍ନୋଲୋଜୀର କୁପ୍ରଭାବ ବିଷୟରେ ଜାଣିଛେ। ସ୍ମାର୍ଟ ଗ୍ୟାଜେଟ୍ସର ଅଭ୍ୟାସ କ’ଣ କରିପାରେ ତାହା ମଧ୍ୟ। ତଥାପି ବହୁତ ଲୋକ ଏହାକୁ ଅଣଦେଖା କରିଥାନ୍ତି ଯାହା ଫଳରେ ଏହି ସ୍ମାର୍ଟ ଗ୍ୟାଜେଟ୍ସର ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିଥାଏ। ଏଭଳି କିଛି ଘଟିଛି ହାଇଦ୍ରାବାଦର ଜଣେ ମହିଳାଙ୍କ ସହ। ଯେଉଁଠାରେ ମହିଳାଙ୍କୁ ରାତିରେ ସ୍ମାର୍ଟଫୋନ୍ ବ୍ୟବହାର କରିବା ଅଭ୍ୟାସ ଭାରିପଡ଼ିଛି। ରାତିରେ ଘଣ୍ଟା ଘଣ୍ଟା ଧରି ମୋବାଇଲ ବ୍ୟବହାର କରିବା ଫଳରେ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ।
ହାଇଦ୍ରାବାଦର ଜଣେ ନ୍ୟୁରୋଲୋଜିଷ୍ଟ ଡାକ୍ତର ଡ.ସୁଧୀର ଏହି ଘଟଣା ସମ୍ପର୍କରେ ଟ୍ବିଟ୍ କରି କହିଛନ୍ତି। ସେ କହିଛନ୍ତି କିପରି ଜଣେ ୩୦ ବର୍ଷୀୟ ମହିଳା ରାତିରେ ଅନ୍ଧାରରେ ମୋବାଇଲ ବ୍ୟବହାର କରିବା ଅଭ୍ୟାସ ଯୋଗୁଁ ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି।
ଟ୍ବିଟରରେ ଡାକ୍ତର କହିଛନ୍ତି ଯେ ମଞ୍ଜୁ ନାମକ ଜଣେ ରୋଗୀ ତାଙ୍କ ପାଖକୁ ଆଖି ସମସ୍ୟା ନେଇ ଆସିଥିଲେ। ସେ କହିଛନ୍ତି ତାଙ୍କୁ ସବୁକିଛି ଗାର ପଡ଼ିବା ପରି ଦେଖାଯିବ, ଆଖିକୁ ଠିକ୍ ଭାବରେ ଦେଖାଯାଉନଥିବା ଇତ୍ୟାଦି ଲକ୍ଷଣ ଦେଖାଯାଉଥିଲା। ଆଉ ଯେତେବେଳେ ପରୀକ୍ଷା ପରେ ଜଣାପଡ଼ିଥିଲା ସେ ସ୍ମାର୍ଟଫୋନ୍ ଭିଜନ୍ ସିଣ୍ଡ୍ରୋମ (ଏସଭିଏସ) ର ଶିକାର ହୋଇଛନ୍ତି। ଯାହାକି ଆଖି ଜନିତ ସମସ୍ୟା ବଢ଼ାଇଥାଏ ଯେଉଁଥିରେ ଅନ୍ଧ ହେବା ମଧ୍ୟ ରହିଛି।
ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଏଭଳି ହେବାର କାରଣ ହେଉଛି ମହିଳା ରାତିରେ ଅନ୍ଧାରରେ ମୋବାଇଲରେ ଘଣ୍ଟା ଘଣ୍ଟା ବ୍ୟବହାର କରିବା ଅଭ୍ୟାସ ଯୋଗୁଁ ଏଭଳି ହୋଇଛି। ଏଭଳି ସେ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ଧରି କରିଆସୁଥିଲେ। ଡାକ୍ତର କହିଛନ୍ତି ମହିଳା ଜଣକ ନିଜ ଦିବ୍ୟାଙ୍ଗ ଶିଶୁର ଯତ୍ନ ନେବାକୁ ପାଇଁ ବିଉଟିସିଆନ ଚାକିରି ଛାଡ଼ିଥିଲେ। ଆଉ ଘରେ ରହିବା ସମୟରେ ମୋବାଇଲ ବ୍ୟବହାର ଅଭ୍ୟାସ ବଢ଼ିଥିଲା। ଖାସ୍କରି ରାତିରେ ଅନ୍ଧାରରେ ପ୍ରାୟ ୨ ଘଣ୍ଟା ମୋବାଇଲ ବ୍ୟବହାର କରିବା ଫଳରେ ଏପରି ହୋଇଛି।
ତେବେ ଡାକ୍ତରଙ୍କ ଚିକିତ୍ସା ପରେ ଏବଂ ମୋବାଇଲ ସ୍କ୍ରିନ୍କୁ ଦେଖିବା କମ୍ କରିବା ପରେ ସେ ପୁନଃ ସୁସ୍ଥ ହୋଇପାରିଛନ୍ତି। ପ୍ରାୟ ୧ ମାସ ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ପ୍ରାୟ ୧୮ ମାସ ଧରି ତାଙ୍କୁ ଦେଖିବାରେ ଅସୁବିଧା ହେଉଥିଲା। ତେବେ ଏବେ ସେ ଠିକ୍ ଭାବରେ ଦେଖିପାରୁଥିବା ନେଇ କହିଛନ୍ତି।
ତେବେ ମଞ୍ଜୁ ଠିକ୍ ସମୟରେ ଚିକିତ୍ସା ଯୋଗୁଁ ସୁସ୍ଥ ହୋଇପାରିଥିଲେ। କିନ୍ତୁ ଏବେ ଏହା ସମସ୍ତଙ୍କ ପାଇଁ ଏକ ଚେତାବନୀ। ଏହି ରୋଗ ଦ୍ବାରା ଲୋକେ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ହରାଇପାରନ୍ତି। ତେଣୁ ସ୍ମାର୍ଟଫୋନ୍କୁ ସାବଧାନତା ତଥା ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବାର ଆବଶ୍ୟକତା ରହିଛି।
ଡାଟା.ଏଆଇ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତିଦିନ ସ୍ମାର୍ଟଫୋନ୍ ବ୍ୟବହାର ସମୟ ବଢ଼ିଛି ୪.୭ କୁ ବଢ଼ିଛି ଘଣ୍ଟାକୁ ବଢ଼ିଛି ଯାହାକି ୨୦୨୧ରେ । ଯାହାକି ୨୦୨୦ରେ ୪.୫ ରହିଥିଲା। ୨୦୧୯ ରେ ୩.୭ ଥିଲା। ସ୍କ୍ରିନ୍ ଟାଇମ୍ ଏବଂ ବ୍ଲୁ ଲାଇଟ୍ ପ୍ରଭାବ କଥା ଛାଡ଼ିଦେଲେ ଅନ୍ଧାରରେ ସ୍ମାର୍ଟଫୋନ୍ ବ୍ୟବହାର କରିବା ସମୟ ମଧ୍ୟ ବଢ଼ିଛି। ଏହା କେବଳ ମାନସିକ ନୁହେଁ ଦୃଷ୍ଟି ଶକ୍ତି ମଧ୍ୟ ହ୍ରାସ କରିଥାଏ। ତେବେ ମୋବାଇଲକୁ ଅଣଦେଖା କରିବା ସମ୍ଭବ ନହେଲେ ବି ଏହାକୁ ନିୟନ୍ତ୍ରଣରେ ବ୍ୟବହାର କରିବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ କରିବା ଜରୁରୀ।
ସେହିଭଳି ଡ.ସୁଧୀରଙ୍କ ଉପଦେଶ ଅନୁଯାୟୀ, ଡିଜିଟାଲ ସ୍କ୍ରିନ୍କୁ ଅଧିକ ସମୟ ଧରି ଦେଖିବା ଆଖି ପାଇଁ ଖରାପ ହୋଇପାରେ। ତେଣୁ ପ୍ରତି ୨୦ ମିନିଟ୍ ଅନ୍ତରାଳରେ ୨୦ ସେକେଣ୍ଡର ବିରତି ନେବା ଜରୁରୀ ଏବଂ ୨୦ ଫୁଟ୍ ଦୂରରୁ ଦେଖିବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ସେ ୨୦-୨୦-୨୦ ରୁଲ୍ ଫଲୋ କରିବାକୁ କହିଛନ୍ତି।