ହାଇଦ୍ରାବାଦ ନଗର ନିଗମ ନିର୍ବାଚନ, ଓଓ୍ବେସିଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ବିଜେପି, ଶାହା କହିଲେ- ମୋଦିଙ୍କ ଉପରେ ବଢ଼ିଛି ତେଲେଙ୍ଗାନାବାସୀଙ୍କ ଭରସା

Published By : Prameya-News7 Bureau | December 04, 2020 IST

ହାଇଦ୍ରାବାଦ ୦୪/୧୨: ଗ୍ରେଟର ହାଇଦ୍ରାବାଦରେ ନଗର ନିଗମ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଦେଶର ସବୁଠୁ ବଡ଼ ନଗର ନିଗମରୁ ଗୋଟିଏ ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ ସହ ୪୯ ସିଟ୍‌ରେ ବିଜୟ ହାସଲ କରିଛି। କେସିଆରଙ୍କ ଦଳ ଟିଆରଏସ୍‌ ୫୬ ଓ ଆସାଦୁଦ୍ଦିନ ଓଓ୍ବେସିଙ୍କ ପାର୍ଟି ଏଆଇଏମଆଇଏମ୍‌ ୪୩ ସିଟ୍‌ରେ ବିଜୟ ହାସଲ କରିଛି।

୧୫୦ ସିଟ୍‌ ବିଶିଷ୍ଟ ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ କେଉଁ ଦଳକୁ ବି ବହୁମତ ମିଳିନାହିଁ। ୨୦୧୬ରେ କେବଳ ୩ଟି ସିଟ୍‌ରେ ବିଜୟ ହାସଲ୍‌ କରିଥିବା ବିଜେପି ଏଥର ଭଲ ପଦର୍ଶନ କରିଛି। ବିଜେପିର ଦମଦାର ପ୍ରଦର୍ଶନ ପରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ୍‌ କରି ଖୁସି ଜାହିର କରିଛନ୍ତି। ଶାହା ଟ୍ବିଟ୍‌ କରି କହିଛନ୍ତି, ତେଲେଙ୍ଗାନାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରିଛନ୍ତି। ତେଲେଙ୍ଗାନା ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଶାହା।

ନଗର ନିଗମ ନିର୍ବାଚନ ପାଇ ବିଜେପି ସବୁ ପ୍ରକାର ପ୍ରଚେଷ୍ଟା କରିଥିଲା। ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଭଳି ଷ୍ଟାର ପ୍ରଚାରକ ନିଗର ନିଗମ ନିର୍ବାଚନରେ ପ୍ରଚାର କରିଥିଲେ। ଦୁଇ ନେତା ରୋଡ୍‌ ଶୋ କରିବା ସହ ଓଓ୍ବେସିଙ୍କ ଉପରେ ଜୋରଦାର ବର୍ଷିଥିଲେ।

ଚଳିତ ଥର ୪୬.୫୫ ପ୍ରତିଶତ ମତଦାନ ହୋଇଥିଲା। ୨୦୦୯ରେ  ୪୨.୦୪ ମତଦାନ ହୋଇଥିବା ବେଳେ ୨୦୧୬ରେ ୪୫.୨୯ ପ୍ରତିଶତ ମତଦାନ ହୋଇଥିଲା। ପୂର୍ବ ଦୁଇ ବର୍ଷ ଅପେକ୍ଷା ଏଥର ଅଧିକ ଭୋଟିଂ ହୋଇଥିଲା। ୨୦୧୬ ନିର୍ବାଚନରେ ୧୫୦ରୁ ଟିଆରଏସ୍‌କୁ ୯୯ ଆସନ ମିଳିଥିଲା। ଏଆଇଏମଆଇଏମକୁ ୪୪ଟି ଓ ବିଜେପିକୁ କେବଳ ୩ଟି ସିଟ୍‌ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.