ମୁମ୍ବାଇ ପରେ ଏବେ ହାଇଦ୍ରାବାଦ: ଘରକୁ ଯିବା ଦାବି କରି ସଡକକୁ ଓହ୍ଲାଇଲେ ୨୪୦୦ ଶ୍ରମିକ
29/04/2020 at 5:32 PM

ହାଇଦ୍ରାବାଦ ୨୯।୦୪: କରୋନା ଭାଇରସ୍ର ପ୍ରକୋପ ଥମିବାର ନାଁ ନେଉନାହିଁ। ଏହାର ସଂକ୍ରମଣକୁ ରୋକିବା ଲାଗି ପୂରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ଲୋକଙ୍କୁ ଘରେ ରହିବା ସହିତ ସାମାଜିକ ଦୂରତ୍ଵ ପାଳନ କରିବାକୁ ବାରମ୍ବାର ଅପିଲ୍ କରାଯାଉଛି। ଲକ୍ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ଭାଗରେ ପ୍ରବାସୀ ଶ୍ରମ ଜୀବୀ ଫସି ରହିଛନ୍ତି। ସେମାନଙ୍କୁ କେମିତି ନିଜ ନିଜ ଘରେ ପହଞ୍ଚାଯିବ ତାକୁ ନେଇ କେନ୍ଦ୍ରଠୁ ନେଇ ରାଜ୍ୟ ସରକାର ସମସ୍ତେ ଚିନ୍ତିତ। ଏବେ ସଦ୍ୟ ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ରାଜ୍ୟର ରାଜଧାନୀ ହାଇଦ୍ରାବାଦରେ ମଙ୍ଗଳବାର ପ୍ରାୟ ୨୪୦୦ ଶ୍ରମ ଜୀବୀ ସଡକକୁ ଓହ୍ଲାଇ ପ୍ରଦର୍ଶନ କରିଥିବା ଘଟଣା ସାମ୍ନାକୁ ଆସିଛି।
କୁହାଯାଉଛି ଯେ, ହାଇଦ୍ରାବାଦ ଆଇଆଇଟିରେ ଏକ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୨୪୦୦ ପ୍ରବାସୀ ଶ୍ରମ ଜୀବୀ ବୁଧବାର ସକାଳେ ସଡକୁ ଓହ୍ଲାଇଥିଲେ। ସଙ୍ଗାରେଡଡ୍ଡୀ ଗ୍ରାମାଞ୍ଚଳ ଇଲାକାର ପୋଲିସ୍ କହିଛି, ଶ୍ରମ ଜୀବୀ ନିଜର ଘରକୁ ଯିବାକୁ ଚାହୁଁଛନ୍ତି ଏବଂ ଏହି ଦାବିକୁ ନେଇ ସେମାନେ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ପୋଲିସ ସେମାନଙ୍କୁ ବୁଝାଉଛନ୍ତି। ଏହା ମଧ୍ୟରେ କିଛି ଶ୍ରମିକ ପୋଲିସ୍ ଟିମ୍ ଉପରେ ଆକ୍ରମଣ କରିଛନ୍ତି। ସୂଚନା ଅନୁଯାୟୀ, ଅସନ୍ତୁଷ୍ଟ ଶ୍ରମିକ ଅଞ୍ଚଳରେ ମୁତୟନ ପୋଲିସ ଟିମ୍ ଉପରେ ପଥରମାଡ କରିଛନ୍ତି।
ଶ୍ରମିକଙ୍କ ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ସଙ୍ଗାରେଡ୍ଡୀ ପୋଲିସ୍ କହିଛି ଯେ, ଆକ୍ରୋଶିତ ଶ୍ରମିକ ପୋଲିସ୍ ଗାଡି ଉପରକୁ ମଧ୍ୟ ପଥର ମାଡ କରିଛନ୍ତି। ଏହା ପୂର୍ବରୁ ମୁମ୍ବାଇର ବାନ୍ଦ୍ରା ଇଲାକାରେ ପ୍ରବାସୀ ଶ୍ରମିକଙ୍କ ଏମିତି ଭିଡ ଦେଖିବାକୁ ମିଳିଥିଲା। ବ୍ରାନ୍ଦାରେ ରୁଣ୍ଡ ହୋଇଥିବା ହଜାର ହଜାର ଶ୍ରମ ଜୀବୀ ଘରକୁ ଯିବାକୁ ଦାବି କରିଥିଲେ। ଦିଲ୍ଲୀର ଆନନ୍ଦ ବିହାର ବସ୍ ଷ୍ଟାଣ୍ଡରେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।