ମ୍ୟାଜିକ୍ ନମ୍ବର ନଥାଇ ଜିଏଚଏମସି ମେୟର ଓ ଡେପୁଟୀ ମେୟର ପଦବୀ ହାତେଇବାକୁ ଟିଆରଏସର ଯୋଜନା, ଏଆଇଏମଆଇଏମର ସାହାଯ୍ୟ ନ ନେଇ ବିଜେପିକୁ ଦେବ ଟକ୍କର

Published By : Prameya-News7 Bureau | December 19, 2020 IST

ହାଇଦ୍ରାବାଦ,୧୯/୧୨:  ହାଇଦ୍ରାବାଦ ମହାନଗର ନିଗମ ପାଇଁ ନିର୍ବାଚନ ସରିଛି । ଏଥିରେ ତେଲୁଗୁ ରାଷ୍ଟ୍ର ସମିତି ବା ଟିଆରଏସ ସବୁଠାରୁ ଅଧିକ ଆସନ ପାଇଛି। ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିଛି । ଏବେ ମେୟର ଓ ଡେପୁଟୀ ମେୟର ପଦ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ଏହି ଦୁଇ ପଦବୀରେ ଟିଆରଏସର କର୍ପୋରେଟର ବସିବା ଥୟ ହୋଇଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ।

ସେ କହିଛନ୍ତି ଯେ, ବିଜେପି ଟିଆରଏସ ଓ ଏମଆଇଏମର ମେଣ୍ଟ ହେବ ବୋଲି ଅଭିଯୋଗ କରୁଛି । ଯାହା ସମ୍ପୂର୍ଣ୍ଣ ଭାବେ ମିଛ । ୧୫୦ ଆସନ ବିଶିଷ୍ଟ ମହାନଗର ନିଗମରେ ଟିଆରଏସ ୫୬ଟି ଆସନ ଜିତିଥିବା ବେଳେ ବିଜେପି ୪୮ ଓ ଏଆଇଏମଆଇଏମ ୪୫ଟି ଆସନରେ ବିଜୟଲାଭ କରିଛି ।

ତେବେ ହାଇଦ୍ରାବାଦ ମ୍ୟୁନିସିପାଲ କାଉନସିଲରେ ଅନେକ ସାଂସଦ, ବିଧାୟକ, ରାଜ୍ୟସଭା ସାଂସଦ ଆଦି ସଦସ୍ୟ ରହିଛନ୍ତି । ଏହି ନେତାମାନେ ମଧ୍ୟ ମେୟର ନିର୍ବାଚନରେ ଭାଗ ନେଇପାରିବେ । ଏହି ଦୃଷ୍ଟିରୁ ଟିଆରଏସର ସଂଖ୍ୟା ବୃଦ୍ଧି ପାଇ ୮୬ରେ ପହଁଚିଯିବ । ଏହିପରି ଏଆଇଏମଆଇଏମ ୫୫ରେ ପହଁଚିବ ଓ ବିଜେପି କେବଳ ୫୦ରେ ହିଁ ସୀମିତ ରହିଯିବ ।

ଦେଖିବାକୁ ଗଲେ ହାଇଦ୍ରାବାଦ ମ୍ୟୁନିସିପାଲ କାଉନସିଲରେ ମୋଟ୍ ଆସନ ହେଉଛି ୧୯୧ । ମେୟର ଓ ଡେପୁଟୀ ମେୟର ନିର୍ବାଚନ ପାଇଁ ୯୬ ସଦସ୍ୟଙ୍କ ଉପସ୍ଥାନ ଜରୁରୀ । ସୂତ୍ରାନୁସାରେ, ଉଭୟ ଟିଆରଏସ ଓ ଏଆଇଏମଆଇଏମ ମେୟର ଏବଂ ଡେପୁଟୀ ମେୟର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିବେ । ଯଦି ବିଜେପି ନିର୍ବାଚନରୁ ଓହରେ ତେବେ ଟିଆରଏସ ପ୍ରାର୍ଥୀ ସଂଖ୍ୟା ଦୃଷ୍ଟିରୁ ବିଜୟ ଲାଭ କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସ୍ୱତନ୍ତ୍ର ରଣନୀତି ଆପଣାଉଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.