ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା କେସ୍: ଫେକ୍ ଥିଲା ହାଇଦ୍ରାବାଦ ଏନକାଉଣ୍ଟର, ପୋଲିସ ଅଧିକାରୀଙ୍କ ବିରୋଧରେ ଚାଲିବ ହତ୍ୟା ମୋକଦ୍ଦମା

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ପଶୁ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଦୋଷୀଙ୍କୁ ଏନ୍‌କାଉଣ୍ଟର କରିଥିଲା ହାଇଦ୍ରାବାଦ ପୁଲିସ୍। ଏନ୍‌କାଉଣ୍ଟର ଜାଣିଶୁଣି କରାଯାଇଥିଲା କି ନାହିଁ ସେନେଇ ସୁପ୍ରିମକୋର୍ଟ ଜଷ୍ଟିସ୍ ସିରପୁକରଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରିଥିଲେ। ଆଜି ସେହି କମିଟି କୋର୍ଟରେ ତାଙ୍କ ରିପୋର୍ଟ ସବ୍‌ମିଟ କରିଛନ୍ତି।

ସେମାନଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ହତ୍ୟା ଉଦ୍ଦେଶ୍ୟରେ ସେମାନଙ୍କ ଉପରେ ହାଇଦ୍ରାବାଦ ପୁଲିସ ଜାଣିଶୁଣି ଗୁଳି ଚଳାଇଥିଲା ବୋଲି କମିଟି ରିପୋର୍ଟରେ କହିଛି। ସିରପୁରକର କମିଶନ ରିପୋର୍ଟରେ କୁହାଯାଇଛି "ଆମ ବିଚାରରେ ଅଭିଯୁକ୍ତମାନଙ୍କ ଜୀବନ ନେବାକୁ ଜାଣିଶୁଣି ସେମାନଙ୍କୁ ଗୁଳି କରାଯାଇଛି। ଗୁଳିକଲେ ଅଭିଯୁକ୍ତଙ୍କର ମୃତ୍ୟୁ ହେବ ବୋଲି ଜାଣି ଏନ୍‌କାଉଣ୍ଟର କରାଯାଇଛି।" କମିସନ ରିପୋର୍ଟ ସବ୍‌ମିଟ୍ କରିବା ପରେ ତେଲେଙ୍ଗାନା ହାଇକୋର୍ଟଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ପ୍ରକାଶ ଥାଉକି, ୨୦୧୯ ଡିସେମ୍ବର ମାସରେ ୨୬ ବର୍ଷୀୟା ଜଣେ ମହିଳା ଡାକ୍ତର ନିଜ କ୍ଲିନିକ୍‌ରୁ ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କୁ ୪ ଜଣ ଦୁଷ୍କର୍ମ କରିଥିଲେ। ଏହାପରେ ନିକଟସ୍ଥ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣି ଶାଦନଗର ଠାରେ ତାଙ୍କୁ ଜୀବନ୍ତ ଜାଳି ଦେଇଥିଲେ। ଏହି ଘଟଣାରେ ପୁଲିସ ୪ ଦୋଷୀ- ମହମ୍ମଦ ଆରିଫ୍, ଜୋଲ୍ଲୁ ଶିବ, ଡୋଲ୍ଲୁ ନଭୀନ ଏବଂ ଚେନ୍ନାକେଶଭୁଲୁଙ୍କୁ ଏନ୍‌କାଉଣ୍ଟର କରିଥିଲା।

ମାମଲାରେ ପୁଲିସ ଅଭିଯୁକ୍ତଙ୍କ ଉପରେ ଦୋଷ ଲଦି କହିଥିଲା ଯେ ଘଟଣାର ସିନ୍ ରିକ୍ରିଏସନ୍‌ ପାଇଁ ନେବା ବେଳେ ସେମାନେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ନେଇ ସେମାନଙ୍କ ଉପରେ ଗୁଳି କରିଥିଲେ। ବାଧ୍ୟ ହୋଇ ପୁଲିସକୁ ତାଙ୍କ ଉପରେ ଗୁଳି ଚଳାଇଥିଲା ପୁଲିସ କହିଥିଲା। ପୁଲିସର ଏଭଳି ଏନ୍‌କାଉଣ୍ଟରକୁ କେତେକ ତୁରନ୍ତ ନ୍ୟାୟ କହୁଥିବା ବେଳେ ବୁଦ୍ଦୀଜୀବୀମାନେ କିନ୍ତୁ ଏହାକୁ ନିନ୍ଦା କରିଥିଲେ। ଏହି ମାମଲାରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ ତିନିଜଣିଆ କମିଟି ଗଠନ କରିଥିଲେ।

ଏନ୍‌କାଉଣ୍ଟର ପରେ ସେତେବେଳେ ଅନେକ ଲୋକ ଏହାକୁ ତୁରନ୍ତ ନ୍ୟାୟ ବୋଲି କହିଥିଲେ। ଏହାପରେ ହାଇଦ୍ରାବାଦ ସମେତ ସାରା ଦେଶରେ ପୁଲିସକୁ ବାହା ବାହା କରିଥିଲେ। ହାଇଦ୍ରାବାଦ୍‌ରେ ଫୁଲ ବର୍ସାଇ ପୁଲିସଙ୍କୁ ସ୍ୱାଗତ କରାଯାଇଥିଲା। ହେଲେ ଏହି ତୁରନ୍ତ ନ୍ୟାୟ ଆଜି କୋର୍ଟରେ ହତ୍ୟା ବୋଲି ପ୍ରମାଣିତ ହୋଇଛି। ହତ୍ୟାକାରୀ ପୁଲିସକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଏନ୍‌କାଉଣ୍ଟର ଘଟଣାରେ କମିଶନ ରିପୋର୍ଟ-

ହାଇଦ୍ରାବାଦ ପୁଲିସର ଏନ୍‌କାଉଣ୍ଟରକୁ ହତ୍ୟା ବୋଲି ଦର୍ଶାଇଛି ତଦନ୍ତକାରୀ କମିଶନ। ଅଭିଯୁକ୍ତମାନେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ନେଇଥିବାର ପୁଲିସ ଯେଉଁ ଅଭିଯୋଗ ଆଣିିଥିଲା ତାହା ମିଛ। ଏନ୍‌କାଉଣ୍ଟରେ ଅନ୍ତର୍ଭୁକ୍ତ ଥିବା ୧୦ ପୁଲିସକର୍ମୀଙ୍କ ବିରୋଧରେ ହତ୍ୟା ମକଦ୍ଦମା କରାଯାଉ ବୋଲି କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।   

ଏଥିରେ କୁହାଯାଇଛି " ରେକର୍ଡ କରାଯାଇଥିବା ସମସ୍ତ ତଥ୍ୟକୁ ବିଚାର କରିବା ପରେ ମୃତ ଅଭିଯୁକ୍ତମାନେ ୨୦୧୯ ଡିସେମ୍ବର ୬ରେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇବା ଭଳି କୌଣସି ଭୁଲ୍ କରିନଥିଲେ। ସେମାନେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇବା, କଷ୍ଟୁଡିରୁ ଖସିପଳାଇବାକୁ ଉଦ୍ୟମ କରିବା ଓ ପୁଲିସଙ୍କୁ ପିଟାମରା କରିବା ସହିତ ସେମାନଙ୍କ ଉପରେ ଗୁଳି ଚଳାଇବା ଭଲି ଭୁଲ୍ କରିନଥିଲେ। "  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.