ହାଇଦ୍ରାବାଦ, ୦୪।୧୨:ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ବିଜେପି ଏହି ନିର୍ବାଚନରେ ବିପୁଳ ବିଜୟ ଆଡକୁ ମୁହାଁଉଥିବା ଦେଖିବାକୁ ମିଳିଛି । ଏପରିକି ଦଳ ସ୍ପଷ୍ଟ ବହୁମତ ପାଇପାରେ । ଏବେସୁଦ୍ଧା ବିଜେପି ୭୭ଟି ଆସନରେ ଆଗରେ ରହିଛି ।
ବିଜେପି ବ୍ୟତୀତ ଟିଆରଏସ ୩୪ଟି ଓ ଏଆଇଏମଆଇଏମ ୧୭ଟି ଆସନରେ ଆଗୁଆ ରହିଛି । କଂଗ୍ରେସ କେବଳ ଗୋଟିଏ ଆସନରେ ଅଟକିଛି । ପରେ ଏହି ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ । କାରଣ ଏବେବି ଭୋଟ ଗଣତି ଜାରି ରହିଛି ।
ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା । ଦଳର ବହୁ ଜାତୀୟ ସ୍ତରରେ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଏପରିକି ଗୃହମନ୍ତ୍ରୀ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାରେ ପ୍ରଚାର କରିଥିଲେ ।
ବୃହତ୍ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ୧୫୦ ଓ୍ବାର୍ଡ଼ର ନିର୍ବାଚନ ପାଇଁ ଗତ ୧ ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିଲା। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା। ୭୪,୪୪,୨୬୦ ଭୋଟଦାତା ନିଜ ମତାଧିକାର ପ୍ରୟୋଗ କରିଥିଲେ।
ଏହି ନିର୍ବାଚନରେ ୧୫୦ଆସନରେ ୧,୧୨୨ ଆଶାୟୀ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଡିସେମ୍ବର ୪ତାରିଖରେ ଭୋଟ ଗଣନା ହେବ। ନିର୍ବାଚନ ପାଇଁ ବିଧାନ ସଭା ଏବଂ ସଂସଦୀୟ ନିର୍ବାଚନ ଭଳି ପ୍ରଚାର ହୋଇଛି ଏବଂ କେତେକ ଜାତୀୟ ସ୍ତରର ନେତା ମୈଦାନକୁ ଓହ୍ଲାଇଛନ୍ତି। ଭାରତୀୟ ଜନତା ପାର୍ଟି, ଟିଆରଏସ ଓ ଅସଦ୍ଦୁଦୀନ ଓଓ୍ୱେସୀଙ୍କ ଏଆଇଏମଆଇଏମ ମଧ୍ୟରେ ଏଠାରେ କଡା ମୁକାବିଲା ହେଉଛି ।