ହାଇବ୍ରିଡ୍ ମଡେଲରେ ହେବ ଚମ୍ପିଆନ୍ସ ଟ୍ରଫି ! ପିସିବିକୁ ଆଇସିସିର ଅଲ୍ଟିମେଟମ୍, ମାନିଯାଅ ନହେଲେ…

Published By : Prameya-News7 Bureau | November 30, 2024 IST

ମୁମ୍ବାଇ ୩୦।୧୧ : ପାକିସ୍ତାନ କ୍ରିକେଟ୍‌ ବୋର୍ଡଙ୍କୁ ଆଇସିସିର ଅଲ୍‌ଟିମେଟମ୍‌ । ଆମ ନିଷ୍ପତ୍ତିକୁ ମାନିଯାଅ, ନହେଲେ ହାତରୁ ଖସିପାରେ ଚମ୍ପଆନ୍ସ ଟ୍ରଫିର ଆୟୋଜନ । ଅନ୍ୟ ସମସ୍ତ ଟିମ୍‌ ହାଇବ୍ରିଡ୍‌ ମଡେଲ୍‌ରେ ଖେଳିବାକୁ ରାଜି ଅଛନ୍ତି । ତେଣୁ ପାକିସ୍ତାନ ବୋର୍ଡ ରାଜି ହେବାକୁ ପଡିବ ବୋଲି ଆଇସିସି ପକ୍ଷରୁ ଏପରି କିଛି କୁହାଯାଇଥିବା ସୂଚନା ମିଳିଛି । 

ଦୀର୍ଘ ବର୍ଷ ପରେ ଆଇସିସିର ଚମ୍ପିଆନ୍ସ ଟ୍ରଫି ପୁଣି ଥରେ ଆୟୋଜନ ହେବାକୁ ଯାଉଛି । ୨୦୧୭ରେ ଶେଷ ଥର ପାଇଁ ଆୟୋଜନ ହୋଇଥିଲା ଚମ୍ପିଆନ୍ସ ଟ୍ରଫି । ବହୁ ବର୍ଷ ପରେ ପୁଣି ଥରେ ଆୟୋଜନ ହେଉଛି ଚମ୍ପିଆନ୍ସ ଟ୍ରଫି । ଯାହା ପାକିସ୍ତାନରେ ଖେଳାଯିବାକୁ ସ୍ଥିର ହୋଇଛି । ହେଲେ ସୁରକ୍ଷା କାରଣରୁ ପାକିସ୍ତାନକୁ ଯିବା ଲାଗି ମନା କରିଦେଇଛି ଭାରତୀୟ ବୋର୍ଡ । ଯାହା ପରେ ଆଇସିସି, ଚମ୍ପିଆନ୍ସ ଟ୍ରଫି ଆୟୋଜକ ପାକିସ୍ତାନ ଏବଂ ଭାଗ ନେବାକୁ ଥିବା ଅନ୍ୟ ସମସ୍ତ ବୋର୍ଡର ସଦସ୍ୟଙ୍କୁ ନେଇ ବୈଠକ ବସିଥିଲା । ଯେଉଁଥିରେ ହାଇବ୍ରିଡ୍‌ ମଡେଲ୍‌ରେ ପୁରା ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନକୁ ଛାଡି ଅନ୍ୟ ୭ଟି ଦେଶ ରାଜି ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପିରିକି ପାକିସ୍ତାନକୁ ଆଇସିସି ପକ୍ଷରୁ ଅଲ୍‌ଟିମେଟମ୍‌ ମଧ୍ୟ ଦିଆଯାଇଛି । ଯଦି ସମସ୍ତେ ଦେଇଥିବା ବୋର୍ଡର ପରାମର୍ଶ ଉପରେ ରାଜି ହୁଏ, ତେବେ ପାକିସ୍ତାନ ହାତରୁ ଚମ୍ପିଆନ୍ସ ଟ୍ରଫିର ଆୟୋଜନ ଖସିପାରେ । ଯଦି ପାକିସ୍ତାନ ହାତରୁ ଚମ୍ପିଆନ୍ସ ଟ୍ରଫି ଆୟୋଜନ ଖସିବ । ତେବେ ପୁରା ଟୁର୍ଣ୍ଣାମେଣ୍ଟ ଦୁବାଇ କିମ୍ବା ଅନ୍ୟ ସ୍ଥାନରେ  ଖେଳାଯାଇପାରେ ବୋଲି ଚର୍ଚ୍ଚା ହେଉଛି । 

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଯାଏଁ ୮ ଥର ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳାଯାଇଛି । ୧୯୯୮ରେ ପ୍ରଥମ ଥର ପାଇଁ ବାଂଲାଦେଶରେ ଆୟୋଜନ ହୋଇଥିଲା ପ୍ରଥମ ଚମ୍ପିଆନ୍ସ ଟ୍ରଫି । ଏଥିରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ହରାଇ ଦକ୍ଷିଣ ଆଫ୍ରିକା ଚମ୍ପିଆନ୍‌ ହୋଇଥିଲା । ଏହାପରେ ୨୦୦୦ରେ କେନିଆରେ ହୋଇଥିଲା ଚମ୍ପିଆନ୍ସ ଟ୍ରଫି । ଏଥିରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ହୋଇଥିଲା ଚମ୍ପିଆନ୍‌ । ତୃତୀୟ ସଂସ୍କରଣରେ ଭାରତ ଏବଂ ଶ୍ରୀଲଙ୍କା ଯୌଥ ଭାବେ ବିଜେତା ଘୋଷିତ ହୋଇଥିଲେ । ୪ର୍ଥ ସଂସ୍କରଣରେ ଇଂଲଣ୍ଡରେ ହୋଇଥିଲା ଆୟୋଜନ । ଏଥିରେ ଇଂଲଣ୍ଡକୁ ହରାଇ ଓ୍ୱେଷ୍ଟଇଣ୍ଡିଜ୍‌ ଚମ୍ପିଆନ୍‌ ହୋଇଥିଲା । ୫ମ ସଂସ୍କରଣରେ ଭାରତରେ ଖେଳାଯାଇଥିଲେ । ଏଥିରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ହରାଇ ଟ୍ରଫି ଜିତିଥିଲା ଅଷ୍ଟ୍ରେଲିଆ । ୬ଷ୍ଠ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡକୁ ହରାଇ ଚମ୍ପିଆନ୍ ହୋଇଥିଲା ଅଷ୍ଟ୍ରେଲିଆ । ୨୦୧୩ରେ ଖେଳାଯାଇଥିବା ସଂସ୍କରଣରେ ଇଂଲଣ୍ଡକୁ ହରାଇ ଭାରତୀୟ ଟିମ୍‌ ଚମ୍ପିଆନ୍‌ ହୋଇଥିଲା । ଶେଷ ଥର ପାଇଁ ୨୦୧୭ରେ ଖେଳାଯାଇଥିବା ଚମ୍ପିଆନ୍ସ ଟ୍ରଫିରେ ଭାରତକୁ ହରାଇ ଟ୍ରଫି ଜିତିଥିଲା ପାକିସ୍ତାନ । 

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.