ଚିକେନ୍ ତରକାରୀ ରାନ୍ଧି ସ୍ୱାମୀକୁ ଅପେକ୍ଷା କରିଥିଲା ସ୍ତ୍ରୀ, କିନ୍ତୁ ଆସିଲା ମରଣ ଖବର : ଅଜଣା ଗାଡି ଧକ୍କା ଦେବାରୁ ପୋଛି ହୋଇଗଲା ମଥା ସିନ୍ଦୂର

Published By : Prameya-News7 Bureau | November 30, 2020 IST

ଜୟପୁର,୩୦/୧୧: ଚିକେନ ଖାଇ ପାରିଲାନି ସ୍ୱାମୀ । ଘରକୁ ଆସିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଜୀବନ ।  ଏକ ଅଜଣା ଗାଡ଼ି ଧକ୍କାରେ ସ୍ୱାମୀଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଟାଉନ୍‌ ଥାନା ଅଞ୍ଚଳରେ ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ହେଲେ ଲକ୍ଷ୍ମୀପୁର ବ୍ଲକ ଦଶମନ୍ତପୁର ଥାନା ଶୁକ୍ରାଗୁଡ଼ାର ରମେଶ ନାୟକ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ପୋଲିସର କହିବାନୁସାରେ, ଶନିବାର ରାତିରେ ଜୟପୁର ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ସେହି ସମୟରେ ଗ୍ଲୋକାଲ ହସପିଟାଲ ପାଖରେ ଏକ ଦୁର୍ଘଟଣା ହୋଇଥିବା ଖବର ପାଇଥିଲା ପୋଲିସ । ତୁରନ୍ତ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ପଡିଥିବା ଦେଖିବାକୁ ପାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ହସପିଟାଲକୁ ପଠାଯାଇଥିଲା । ଡାକ୍ତର ସେଠାରେ ଯୁବକଙ୍କୁ  ମୃତ ଘୋଷଣା କରିଥିଲେ । ରବିବାର ମୃତକଙ୍କ ସ୍ତ୍ରୀ ହସ୍ପିଟାଲରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ ।

ମୃତ ରମେଶଙ୍କ ସ୍ତ୍ରୀ ଭାନୁଙ୍କ କହିବା ଅନୁଯାୟୀ, ସେମାନେ ପେଟପାଟଣା ଲାଗି ଲକ୍ଷ୍ମୀପୁରରୁ ଆସି ଏଠାରେ ରହୁଥିଲେ। ରମେଶ ମିସ୍ତ୍ରୀ କାମ କରନ୍ତି । ଉଭୟ ଗ୍ଲୋକାଲ ହସପିଟାଲ ପଛପଟ ଲେନ୍‌ରେ ରହୁଥିଲେ । ଶନିବାର ସକାଳେ ଖାଦ୍ୟନେଇ ରମେଶ ଜଣଙ୍କର ଛାତ ପଡୁଥିବା କହି କାମକୁ ବାହାରିଥିଲେ । ଅନ୍ୟ ଜଣଙ୍କ ହାତରେ ଘରକୁ ଚିକେନ୍‌ ପଠାଇ ରୋଷେଇ କରିବାକୁ କହିଥିଲେ । ରାତି ହୋଇଯାଇଥିଲେ ବି ରମେଶ ଆଉ ଘରକୁ ଫେରି ନଥିଲେ । ଛାତ ପଡୁପଡୁ କାଳେ ବିଳମ୍ବ ହୋଇଥିବ ଭାବି ସେ ଚୁପ୍‌ ରହିଥିଲେ। ରବିବାର ସକାଳୁ ଏଭଳି ଦୁଃଖଦ ଖବର ମିଳିଲା ପରେ ସେ ଭାଙ୍ଗିପଡିଛନ୍ତି । ଏପରିକି ସେ ଥାନା ଦାଣ୍ଡରେ ଲୋଟି କାନ୍ଦୁଥିବାର ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.