ନୂଆଦିଲ୍ଲୀ ୦୮/୧୧: ସ୍ତ୍ରୀ ପାଇଁ ସ୍ବାମୀ ହରାଇଲା ଦାନ୍ତ। ଦୁଇଟି ଦାନ୍ତ ହରାଇଥିବା ସ୍ବାମୀ ଏବେ ଥାନାରେ ଦ୍ବାରସ୍ଥ ହୋଇଛି। ଫେସବୁକ୍ ପାଇଁ ଏତେ ନାଟ ହୋଇଥିବା ଜଣାପଡ଼ିଛି। ପ୍ରକୃତରେ ବ୍ୟକ୍ତିଙ୍କ ସ୍ତ୍ରୀ ଫେସବୁକ୍ରେ ବନ୍ଧୁ କରିଥିଲେ ।ସେହି ବନ୍ଧୁ ଏତେ ହଇରାଣ କଲା ଯେ ଶେଷରେ ସ୍ବାମୀକୁ ଦାନ୍ତ ହରାଇବାକୁ ପଡ଼ିଲା। ଫେସବୁକ୍ ଫ୍ରେଣ୍ଡ ସହ ଦାନ୍ତ ହରାଇବାର ସମ୍ପର୍କ କଣ ବୋଲି ଆପଣ ଭାବୁଥିବେ । କିନ୍ତୁ ସମ୍ପର୍କ ଅଛି।
ମହିଳା ଜଣଙ୍କ ଫେସୁବକ୍ରେ ଜଣେ ଯୁବକଙ୍କ ସହ ଚାଟିଂ କରୁଥିଲେ । ଚାଟିଂ କରିବା ସମୟରେ ନମ୍ବର ଦିଆନିଆ ବି ହୋଇଥିଲା। ପରେ ଫେସବୁକ୍ ଫ୍ରେଣ୍ଡ ମହିଳାଙ୍କୁ କଲ କରନ୍ତି ଦୁହେଁ କଥା ମଧ୍ୟ ହୁଅନ୍ତି । କିନ୍ତୁ ତାପରେ ଯୁବକ ଜଣଙ୍କ ମହିଳାଙ୍କୁ ବାରମ୍ବାର କଲ କରି ହଇରାଣ କରିଥିଲା। ଏଥିରେ ବିରକ୍ତ ହୋଇ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ସ୍ବାମୀ –ସ୍ତ୍ରୀ ଦୁହେଁ ଦିଲ୍ଳୀର ଭଜନପୁରା ଅଞ୍ଚଳରେ ରୁହନ୍ତି। ସ୍ତ୍ରୀଙ୍କ ପାଖରୁ ସବୁ ଶୁଣି ସାରିବା ପରେ ସ୍ବାମୀ ପ୍ରମୋଦ କୁମାର ମହିଳାଙ୍କ ଫେସବୁକ୍ ଫ୍ରେଣ୍ଡ ଭରତ ତୋମରକୁ କଲ କରି ବୁଝାସୁଝା କରିଥିଲେ। କିନ୍ତୁ କିଛି ସୁଫଳ ମିଳିନଥିଲା।
ପରେ ପ୍ରମୋଦ ଭରତ ଘରକୁ ଯାଇ ବୁଝାଇବେ ବୋଲି ସ୍ଥିର କଲେ ଏବଂ ଗଲେ ମଧ୍ୟ। ଘରେ ପହଞ୍ଚିବା ପୂର୍ବରୁ ଗାଁ ମୁଣ୍ଡରେ ପ୍ରମୋଦଙ୍କୁ ଅଟକାଇ ଦେଇଥିଲା ଭରତ । ଏହା ପରେ ପ୍ରମୋଦଙ୍କୁ ନିର୍ଧୁମ ମାଡ଼ ମାରିଥିଲା। ଭରତର ଲାତ, ବିଧାରେ ପ୍ରମୋଦଙ୍କ ଦୁଇଟି ଦାନ୍ତ ଝଡ଼ିପଡ଼ିଥିଲା। ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ସେତେବେଳକୁ ଭରତ ଫେରାର ହୋଇଯାଇଥିଲା। ପ୍ରମୋଦଙ୍କୁ ମେଡିକାଲରେ ଭର୍ତ୍ତି କରାଇବା ସହ ପୋଲିସ ଭରତ ବିରୋଧରେ ମାମଲା ରୁଜୁ କରିଛି ।