ସ୍ୱାମୀ ସାଜିଲା ଦଲାଲ୍, ଚିକିତ୍ସା ଆଳରେ ବିକ୍ରି କରିଦେଲା ସ୍ତ୍ରୀର କିଡ୍ନୀ
24/08/2022 at 9:16 PM

ମାଲକାନ୍ଗିରି, ୨୪/୦୮: ପ୍ରେମ କରି ବାହା ହୋଇଥିବା ସ୍ୱାମୀ ସାଜିଲା ଦଲାଲ୍ । ରକ୍ତ ପରୀକ୍ଷା ନାଁରେ ବିକ୍ରି କରିଦେଲା ସ୍ତ୍ରୀର କିଡନୀ । ଏପରି ଏକ ସାଘାଂତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । କୋତାମେଟା ଗ୍ରାମର ରଞ୍ଜିତା କୁଣ୍ଡୁ ନିଜ ସ୍ବାମୀଙ୍କ ନାମରେ ମାଲକାନଗିରି ଆଦର୍ଶ ଥାନାରେ ଏପରି ଅଭିଯୋଗ କରିଛନ୍ତି ।
ପ୍ରେମର ସମ୍ପର୍କ ଯେତିକି ନିବିଡ ତା ଠାରୁ ଅଧିକ ନିବିଡ ସମ୍ପର୍କ ଅଟେ ବାହାଘର ପରେ ସ୍ବାମୀ ଓ ସ୍ତ୍ରୀର ସମ୍ପର୍କ । କାରଣ ସାତ ଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ସ୍ୱାମୀର ହାତ ଧରିଥାଏ ସ୍ତ୍ରୀ । କିନ୍ତୁ ଯେତେବେଳେ ସେହି ସ୍ୱାମୀ ନିଜ ପ୍ରେମ ଓ ଅଗ୍ନିକୁ ସାକ୍ଷୀ ରଖି ବାହା ହେଇଥିବା ସ୍ତ୍ରୀକୁ ନେଇ ଦଲାଲି କରେ, ତାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବିକ୍ରି କରିଦିଏ ତେବେ ସେ କହିବ କାହାକୁ । ଏପରି କିଛି ଘଟିଛି ମାଲକାନଗିରି ଜିଲ୍ଲାରେ ।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସଦର ବ୍ଲକ କତାମେଟା ଗାଁରେ ରହୁଥିଲେ ରଞ୍ଜିତା କୁଣ୍ଡୁ । ତେବେ ୧୨ ବର୍ଷ ପୂର୍ବେ ୨୦୧୦ ମସିହାରେ ପ୍ରଶାନ୍ତ କୁଣ୍ଡୁଙ୍କୁ ସେ ପ୍ରେମ କରି ବିବାହ କରିଥିଲେ । ବିବାହ ପରେ ଗୋଟେ ପୁଅ ଓ ଝିଅ ହେଲା ପର୍ଯ୍ୟନ୍ତ ଖୁସିରେ ରହିଲେ । କିନ୍ତୁ ଏହି ଖୁସି ବେସି ଦିନ ପାଇଁ ନଥିଲା ହଠାତ ପରିବାରରେ ମାଡି ଆସିଥିଲା ଦୁଃଖର କଳା ବାଦଲ । ପରିବାର ମଧ୍ୟରେ ସଦାବେଳେ ଅସନ୍ତୋଷ ଲାଗି ରହୁଥିଲା । ତେବେ ଦିନେ ରଞ୍ଜିତାଙ୍କର ଦେହ ଖରାପ ହେବାରୁ ତାଙ୍କ ସ୍ୱାମୀ ପ୍ରଶାନ୍ତ ତାଙ୍କୁ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲା । ଚିକିତ୍ସା ସମୟରେ ପ୍ରଶାନ୍ତ ରଞ୍ଜିତାଙ୍କର କିଡନୀ ସେଠାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି ।
ତେବେ ଏହାପରେ ସ୍ୱାମୀ ସ୍ତ୍ରୀ ଘରକୁ ଫେରିଥିଲେ । ଫେରିବା ପରେ ମଧ୍ୟ ରଞ୍ଜିତାଙ୍କ ପରିବାରରେ ଅସନ୍ତୋଷ ଲାଗି ରହିଥିଲା । ଯାହା ଫଳରେ ରଞ୍ଜିତା ନିଜ ବାପ ଘରକୁ ଫେରି ଆସିଥିଲେ ଏବଂ କିଛି ଦିନପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ଚିକିତ୍ସା ଆଳରେ କଳିଙ୍ଗ ହସ୍ପିଟାଲରେ ତାଙ୍କର କିଡନୀ ବିକ୍ରି କରିଦେଇଛନ୍ତି । ଏହା ପରେ ସେ ଥାନାରେ ଏକ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାର ଉଚିତ ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।