ଦାରୁଣ ଦୁଃଖ: ପତ୍ନୀଙ୍କ ମୃତ୍ୟୁ ଖବର ପାଇ ଘରକୁ ଫେରିବାବେଳେ ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ସ୍ୱାମୀଙ୍କ ଜୀବନ

Published By : Prameya-News7 Bureau | January 20, 2022 IST

ଢେଙ୍କାନାଳ, ୨୦/୦୧: ପତ୍ନୀର ମୃତ୍ୟୁ ଖବର ପାଇ ଗାଁକୁ ବାଇକ୍‌ ଯୋଗେ ଜଣେ ବନ୍ଧୁଙ୍କୁ ନେଇ ଘରକୁ ଫେରୁଥିଲେ ସ୍ୱାମୀ । ଅଧା ବାଟରେ ସଡକ ଦୁର୍ଘଟଣାରେ ସ୍ୱାମୀର ମଧ୍ୟ ମୃତ୍ୟୁ ଘଟିଛି । ଏପରି ଅଭାନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଅଞ୍ଚଳରେ । ହରେକୃଷ୍ଣପୁର ଗ୍ରାମର ଦିଲୀପ ନାୟକ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ପାଇ ଗଁନ୍ଦିଆରୁ ବାଇକ ଯୋଗେ ଗ୍ରାମର ଜଣେ ସାଙ୍ଗ ହେମନ୍ତ ବେହେରାଙ୍କୁ ନେଇ ଗାଁକୁ ଫେରୁଥିଲେ ।

ଏହି ସମୟରେ ଢେଙ୍କାନାଳ ଗଁନ୍ଦିଆ ରାସ୍ତାର ବିଶ୍ୱନାଥପୁର ନିକଟରେ ତାଙ୍କ ବାଇକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ଏକ ଗଛରେ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଦିଲୀପ ନାୟକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗ ହେମନ୍ତ ବେହେରା ଗୁରୁତର ହୋଇଥିଲେ । ଗୁରୁତର ହେମନ୍ତଙ୍କୁ ଚିକିତ୍ସା ପାଇଁ ୧୦୮ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ମୃତ ଦିଲୀପଙ୍କର ଗତ ଦୁଇ ମାସ ପୂର୍ବେ ପ୍ରେମ ବିବାହ ହୋଇଥିଲା । ଏହି ବିବାହକୁ ଦିଲ୍ଲୀପଙ୍କ ଘରେ ତାଙ୍କ ବାପା ଓ ମା ସ୍ୱୀକାର କରୁନଥିଲେ । ତେବେ ଆଜି ସନ୍ଧ୍ୟାରେ ସେ ଗଁନ୍ଦିଆ ଯାଇଥିବାବେଳେ ତାଙ୍କ ପତ୍ନୀର ମୃତ୍ୟୁ ଘଟିଥିଲା । ପତ୍ନୀଙ୍କ ମୃତ୍ୟୁ କିପରି ହେଲା ସେ ନେଇ ମଧ୍ୟ ସନ୍ଦେହ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.