ସାମାନ୍ୟ ମୋବାଇଲ ପାଇଁ ସ୍ତ୍ରୀକୁ ନିର୍ମମ ହତ୍ୟା ; ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ

Published By : Prameya-News7 Bureau | November 05, 2020 IST

ଚତରା ୫/୧୧: ସାମାନ୍ୟ ମୋବାଇଲ ପାଇଁ ସ୍ତ୍ରୀକୁ ହତ୍ୟା କଲା ପିଶାଚ ସ୍ବାମୀ । ଚତରା ଜିଲ୍ଲା ସଦର ଥାନା ଅନ୍ତର୍ଗତ ହାସବୋ ଗାଁରେ ଏଭଳି ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ପାଲଟିଛି । ମୋବାଇଲ ପାଇଁ ସ୍ବାମୀ- ସ୍ତ୍ରୀ ମଧ୍ୟରେ ବଚସା ହେବାରୁ ରାଗରେ ସ୍ବାମୀ ଉମେଶ ଭୂୟାଁ ସ୍ତ୍ରୀ ଡଲି ଦେବୀଙ୍କ ବେକରେ ରଶି ଲଗାଇ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।

ସୂଚନା ଅନୂଯାୟୀ ଉମେଶ ୨ ଦିନ ପୂର୍ବରୁ ନିଜ ଶ୍ବଶୁର ଘରକୁ ଯାଇଥିଲେ ଏବଂ ସେଠାରେ ସେ ତାଙ୍କ  ମୋବାଇଲ ଫୋନକୁ ଜଣେ ଯୁବତୀଙ୍କୁ ଦେଇଥିବାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ ପରିବାର ଲୋକଙ୍କ ହସ୍ତକ୍ଷେପ ପରେ ବିଳମ୍ବିତ ରାତିରେ ଉଭୟେ ଗୋଟିଏ ରୁମକୁ ଶୋଇବାକୁ ଯାଇଥିଲେ । ସକାଳୁ ଡଲିଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ । ତେବେ ସ୍ବାମୀ ଉମେଶ ସେହି ଘରେ ଶୋଇଥିବା ବେଳେ କିଭଳି ଡଲିଙ୍କର ମୃତ୍ୟୁ ହେଲା ସେ ନେଇ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ ।

ଡଲିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତେବେ ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.